ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ , ୧୨ ଆପ୍ ବିଧାୟକ ଦିନକ ଲାଗି ସସପେଣ୍ଡ

ନୂଆଦିଲ୍ଲୀ : ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ। ଦିନକ ଲାଗି ବିରୋଧୀ ଦଳ ନେତ୍ରୀ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ସମେତ ୧୨ ଆପ୍ ବିଧାୟକଙ୍କୁ ଗୃହରୁ କରାଯାଇଛି ସସପେଣ୍ଡ। ବିଧାନସଭା ବାହାରେ ଆପ୍ ବିଧାୟକ କରିଛନ୍ତି ନାରାବାଜି। ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନକୁ ନେଇ ହୋଇଛି ତୀବ୍ର ହଟ୍ଟଗୋଳ। ଫ୍ଲାଗଷ୍ଟାଫ ରୋଡସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ବାସଭବନର ଆଧୁନିକୀକରଣ ଲାଗି ବିପୁଳ ଅର୍ଥବ୍ୟୟ ଓ ଦିଲ୍ଲୀରେ ମୋହଲା କ୍ଲିନିକର ବିଫଳତା ଆଦି ପ୍ରସଙ୍ଗ ସିଏଜି ରିପୋର୍ଟରେ ଥିବା ସୂଚନା ମିଳିଛି। ଗତ ବିଧାନସଭା ନିର୍ବାଚନରେ ସିସମହଲର ଆଧୁନିକୀକରଣ ନାମରେ ବିପୁଳ ଅର୍ଥବ୍ଯୟକୁ ନିର୍ବାଚନ ପ୍ରସଙ୍ଗ କରିଥିଲା ବିଜେପି।

୨୦୧୫ ଫେବୃଆରୀରୁ ଅକ୍ଟୋବର ୨୦୨୪ ଯାଏ ଏହି ଭବନରେ ରହିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସିସମହଲ ଲାଗି ପୂର୍ତ୍ତ ବିଭାଗ ପ୍ରଥମେ ୭ କୋଟି ୯୧ ଲକ୍ଷ ଟଙ୍କାର ଆକଳନ କରିଥିଲା। ପରେ ଏହି ପରିମାଣ ବଢି ହୋଇଥିଲା ୩୩ କୋଟି ୬୬ ଲକ୍ଷ ଟଙ୍କା। ଅର୍ଥାତ ମୂଳ ଆକଳନରୁ ଏହା ବଢ଼ିଥିଲା ୩୪୨ ଦଶମିକ ୩୧ ପ୍ରତିଶତ। ସେହିପରି ୨୦୧୬ରୁ ୨୦୨୩ ମଧ୍ଯରେ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିବା ମୋହଲା କ୍ଲିନିକ ଲାଗି ୩୫ କୋଟି ୧୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଖର୍ଚ୍ଚ କରିଥିଲା ମାତ୍ର ୯ କୋଟି ୭୮ ଲକ୍ଷ। ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀରେ ୧ ହଜାର ମୋହଲା କ୍ଲିନିକ ପ୍ରତିଷ୍ଠା ଲକ୍ଷ୍ୟ ରହିଥିବାବେଳେ ମାତ୍ର ୫୨୩ଟି କ୍ଲିନିକ ପ୍ରତିଷ୍ଠା ହୋଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ମାତ୍ର ୩୧ଟି ସାନ୍ଧ୍ୟକାଳୀନ ମୋହଲା ପ୍ରତିଷ୍ଠା ହୋଇଥିଲା। ଅକ୍ଟୋବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ଯରେ ମୋହଲା କ୍ଲିନିକକୁ ଯାଇଥିବା ରୋଗୀଙ୍କ ମଧ୍ଯରୁ ୭୦ ପ୍ରତିଶତ ରୋଗୀଙ୍କୁ ମାତ୍ର ୧ ମିନଟ ଲେଖାଏ ସମୟ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।