ଜେଲ ଭିତରୁ ଅତିକ ଦେଉଥିଲା ଧମକ, ଚଳାଉଥିଲା ଅପରାଧର ସାମ୍ରାଜ୍ୟ

1 min read

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଅସରଫ୍ ହତ୍ୟାକାଣ୍ଡ ପରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସାବରମତି ଜେଲରେ ରହି ବି ନିଜ ସିଣ୍ଡିକେଟ୍ ଚଳାଉଥିଲା ଅତିକ । କିଛି ଦିନ ପୂର୍ବେ ମହମ୍ମଦ ମୁସଲିମ୍ ନାମକ ଜଣେ ବିଲ୍ଡରକୁ ଧମକ ଦେବା ସହ ୫ କୋଟି ଟଙ୍କା ମାଗିଥିଲା । ଯାହାପରେ ପୁଅ ଅସଦକୁ ୮୦ ଲକ୍ଷ ଟଙ୍କା ଦେଇଥିଲେ ବିଲ୍ଡର ।

ରିପୋର୍ଟ ଅନୁସାରେ ଏହି ୮୦ ଲକ୍ଷ ଟଙ୍କା ଉମେଶ ପାଲ ହତ୍ୟାକାଣ୍ଡରେ ଖର୍ଚ୍ଚ ହୋଇଥିଲା । ଖାଲି ଏତିକି ନୁହେଁ ମହମ୍ମଦ ମୁସଲିମକୁ ଅତିକ ଧମକ ଭରା ମେସେଜ ମଧ୍ୟ ପଠାଇଥିଲା । ଯେଉଁଥିରେ ଲେଖିଥିଲା- ମୋର ପୁଅ ନା ଡାକ୍ତର ବନିବ, ନା ଓକିଲ ବନିବ । ଖାଲ ହିସାବ କରିବ । ମୁଁ ଶେଷଥର ପାଇଁ କହୁଛି ଚୁପଚାପ୍ ୫କୋଟି ପଠା । ଇଡି ଏଯାଏଁ ତୁମ ପଇସା ସିଜ୍ କରିନି । ପୁଅ ଉମରର ଯେଉଁ ହିସାବ ଓ ଅସଦ ଯେଉଁ ପଇସା ଦେଇଥିଲା, ତାକୁ ପଠେଇଦିଅ । ନିର୍ବାଚନ ପାଇଁଦରକାର ପଡିବ । ଅତିକର ଧମକକୁ ଡରି ପ୍ରୟାଗରାଜ ଛାଡି ଲକ୍ଷ୍ନୌ ଚାଲିଯାଇଥିଲେ ସମ୍ପୃକ୍ତ ବିଲ୍ଡର। ଅତିକ ୨୦୨୩ ଜାନୁଆରୀରୁ ଲଗାତାର ଭାବେ ମହମ୍ମଦ ମୁସଲିମକୁ ଧମକଚମକ ଦେଇଆସୁଛି।

ଅତିକ ସବୁବେଳେ ନିର୍ବାଚନ ଲଢିବା ସମୟରେ ଟଙ୍କା ଅସୁଲ୍ କରିଥାଏ । ବଡବଡ ବିଲ୍ଡର ଓ ବ୍ୟବସାୟୀଙ୍କ ସହ ସମ୍ପୃକ୍ତ ବିଜନେସମ୍ୟାନଙ୍କ ଠାରୁ ନିର୍ବାଚନ ଲଢିବା ପାଇଁ ବଟି ନେଇଥାଏ । ଏପରିକି ଗୁଣ୍ଡା ଟ୍ୟାକ୍ସ ବଟି ପାଇଁ ରସିଦ୍ ଜାରି ହୋଇଥାଏ । ଗୋଲାପୀ ରସିଦର ରେଟ୍ ୩ରୁ ୫ ଲକ୍ଷ ଯାଏଁ ରହିଥିବା ବେଳେ ଧଳା ରସିଦ୍ ୫ ଲକ୍ଷ ଟଙ୍କାରୁ ଅଧିକ ପାଇଁ କଟାଯାଇଥାଏ । କ୍ୟାସ୍ ସହ ଆକାଉଣ୍ଟରେ ମଧ୍ୟ ଟଙ୍କା ଜମା ହୋଇଥାଏ । ନିର୍ବାଚନ ଟ୍ୟାକ୍ସ ପାଇଁ ଆଦାୟ ଅର୍ଥରାଶି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଆକାଉଣ୍ଟରେ ଜମା ହୋଇଥାଏ ।