ଡନ୍ ଲରେନ୍ସ ବିଷ୍ଣୋଇ ଭଳି ହେବାକୁ ଚାହୁଁଥିଲେ ଅତିକ ଅହମଦ ହତ୍ୟାକାଣ୍ଡର ୩ ଅଭିଯୁକ୍ତ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ଅତିକ ଅହମଦ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡର ୩ ଅଭିଯୁକ୍ତ ସନି ସିଂହ, ଲବଲେଶ ତିୱାରି ଓ ଅରୁଣ ମୋର୍ଯ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ପ୍ରଭାବିତ । ଏପରିକି ଏହି ୩ ସୁଟର୍ ଲରେନ୍ସ ବିଷ୍ଣୋଇ ହେବାକୁ ଚେଷ୍ଟା କରୁଥିଲେ । ପଞ୍ଜାବୀ ସିଙ୍ଗର ସୁଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପରେ ଏହି ଅଭିଯୁକ୍ତମାନେ ଲରେନ୍ସ ଭଳି ହେବା ପାଇଁ ଲାଗିପଡିଥିଲେ । ଖାଲି ଏତିକି ନୁହେଁ ଏମାନେ ଲରେନ୍ସ ଭଳି ଏକ ବଡ କାଣ୍ଡ ଘଟାଇବା ପାଇଁ ଚାହିଁଥିଲେ । ଯାହାର ପରିଣତି ହେଉଛି ଅତିକ ହତ୍ୟା ମାମଲା ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଖରେ ମହଙ୍ଗା ପିସ୍ତଲ

ଏହି ଗ୍ୟାଙ୍ଗ ପାଖରେ ଅଧିକ ଜିଗାନା ପିସ୍ତଲ ଥିବାର ଚର୍ଚ୍ଚା ହୋଇଥାଏ । ଯାହାକୁ ସବୁଠୁ ଅଧିକ ମହଙ୍ଗା ପିସ୍ତଲ ବୋଲି କୁହାଯାଏ । ଏହି ଗ୍ୟାଙ୍ଗର ଅନେକ ସୁଟରଙ୍କ ପାଖରୁ ଜିଗାନା ପିସ୍ତଲ ଜବତ ହୋଇଛି। ୩ ସୁଟରଙ୍କ ପାଖରୁ ତୁର୍କୀ ନିର୍ମିତ 9 ଏମଏମ ଜିଗାନା ପିସ୍ତଲ ଜବତ ହୋଇଥିଲା । ଯାହା ଫଳରେ ଅତିକ ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ ନାଁ ଯୋଡି ହେବାରେ ଲାଗିଛି ।

ଅତିକ ଅହମଦ ହତ୍ୟାକାଣ୍ଡରେ ସାମିଲ ସୁଟର ମୋହିତ ଓରଫ୍ ସନି ସିଂହ, ଡନ ଲରେନ୍ସ ବିଷ୍ଣୋଇ ସମ୍ପର୍କରେ ରହିଥିଲା । ସୂଚନା ଅନୁଯାୟୀ, ଏକ ମାମଲାରେ ସନି ଓ ଅରୁଣ ହରିୟାଣାର ପାଣିପତ ଜେଲରେ ରହିଥିଲା । ଯେଉଁଠି ପୂର୍ବରୁ ଲରେନ୍ସ ବନ୍ଦୀ ଥିଲା, ଆଉ ଯେଉଁଠି ଦୁହିଁଙ୍କ ସାକ୍ଷାତ ହୋଇଥିଲା । ମୋହିତ ଉପରେ ପ୍ରାୟ ୧୮ଟି ମାମଲା ରହିଛି ।

ସେହିପରି ଜଣେ ଝିଅକୁ ଚାପୁଡା ମାରିବା ଅଭିଯୋଗରେ ଲବଲେଶ ତିୱାରୀ ଦେଢବର୍ଷ ଯାଏଁ ହମିରପୁର ଜେଲରେ ବନ୍ଦୀ ଥିଲା । ଯେଉଁଠି ତା ସାକ୍ଷାତ ସନି ସହ ହୋଇଥିଲା।