ଆଜି ଆତ୍ମସମର୍ପଣ କରିପାରନ୍ତି ଅତିକର ପତ୍ନୀ ଶାଇସ୍ତା ପରୱୀନ

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପତ୍ନୀ ଶାଇସ୍ତା ପରୱୀନ ଆଜି ଆତ୍ମସମର୍ପଣ କରିପାରନ୍ତି । ଗତ ସପ୍ତାହରେ ତାଙ୍କ ପୁଅ ଅସଦର ଏନକାଉଣ୍ଟର କରାଯାଇଥିଲା ଏବଂ ଏହାପରେ ଶନିବାର ରାତିରେ ସ୍ୱାମୀ ଅହମଦ ଏବଂ ଦିଅର ଅସରଫକୁ ପୋଲିସ ସୁରକ୍ଷାରେ ହତ୍ୟା କରାଯାଇଥିଲା । ଶାଇସ୍ତା ପରୱୀନ ପୁଅ, ସ୍ୱାମୀ ଏବଂ ଦିଅରଙ୍କ ଚେହେରା ଶେଷଥର ପାଇଁ ମଧ୍ୟ ଦେଖିବାକୁ ଆସିନଥିଲେ । ମଡିଆ ରିପୋର୍ଟସ ମୁତାବକ ଶାଇସ୍ତା ପରୱୀନଙ୍କ ଆତ୍ମସମର୍ପଣର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଜିଲ୍ଲାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି । ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ଶାଇସ୍ତା ପରୱୀନଙ୍କ ନାଁ ରୁଜୁ ଅଛି ଏବଂ ସେ ବର୍ତ୍ତମାନ ଫେରାର ଅଛନ୍ତି ।

ଶାଇସ୍ତା ପରୱୀନଙ୍କ ନାଁରେ ବର୍ତ୍ତମାନ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ୟୁପି ପୋଲିସର ଟିମ୍ ଭିନ୍ନ ଭିନ୍ନ ସହରରେ ତାଙ୍କୁ ଖୋଜୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇ ପାରିନାହିଁ । କୁହାଯାଉଥିଲା ଯେ ସେ ସ୍ୱାମୀ ଅତିକକୁ ଶେଷ ଦର୍ଶନ ପାଇଁ ଆସିବେ ହେଲେ ଆସିନଥିଲେ । ଏବେ ସମସ୍ୟା ଅଧିକ ନବଢ଼ୁ ସେଥିପାଇଁ ସେ ସରେଣ୍ଡର କରିବା ପାଇଁ ଚିନ୍ତା କରୁଥିବା କଥା କୁହାଯାଉଛି । ସୂଚନାଥାଉକି ଶାଇସ୍ତା ପରୱୀନଙ୍କ ବାପାଘର ଲୋକେ ମଧ୍ୟ ନିଜ ଘରୁ ଫେରାର ଅଛନ୍ତି । କୁହାଯାଉଛି ଯେ ପରିବାର ଲୋକଙ୍କୁ ପୋଲିସ ଅଧିକ ହାଇରାଣ ନକରୁ ଏଥିପାଇଁ ଶାଇସ୍ତା ପରୱୀନ ଏବେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି । ଉମେଶ ପାଲ ହତ୍ୟାକାଣ୍ଡରେ ଅଗ୍ରୀମ ଜାମିନ ପାଇଁ ଶାଇସ୍ତା ଏମପି/ଏମଏଲଏ କୋର୍ଟରେ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଥିଲେ ।