ଗୁଜୁରାଟରୁ ୟୁପି ଜେଲକୁ ସ୍ଥାନାନ୍ତର ହେବ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦକୁ ଆଗାମୀ ସପ୍ତାହରେ ଅହମ୍ମଦାବାଦର ସାବରମତୀ ଜେଲରୁ ପ୍ରୟାଗରାଜ ଅଣାଯିବ । ଜଣେ ପୋଲିସ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି, ହୋଲିର ତୁରନ୍ତ ପରେ ଆମେ ଡକ୍ୟୁମେଣ୍ଟେସନ କାର୍ଯ୍ୟ ଆରମ୍ଭ କରିବୁ ଏବଂ ଅଦାଲତରୁ ଆବଶ୍ୟକ ଅନୁମତି ପ୍ରାପ୍ତ କରିବୁ ଏହାପରେ ଅତିକକୁ ଉମେଶ ପାଲ ହତ୍ୟା ମାମଲାରେ ପଚରାଉଚରା ପାଇଁ ପ୍ରୟାଗରାଜ ଅଣାଯିବ । ଉମେଶ ପାଲ ଏବଂ ଦୁଇ ପୋଲିସ ଗାର୍ଡଙ୍କ ହତ୍ୟା ମାମଲାରେ ଅତିକର ହାତ ଥିବା କୁହାଯାଉଛି । ଅତିକର ସାଥି ଓ ତା ପୁଅ ଉମେଶ ପାଲଙ୍କ ହତ୍ୟା କରିଥିବା ସିସିଟିଭିରେ ରେକର୍ଡ ମଧ୍ୟ ହୋଇଛି ।

ଅଧିକାରୀ ଜଣଙ୍କ କହିଛନ୍ତି, ଆମେ ଖୁବଶୀଘ୍ର ଗୁଜୁରାଟରେ ଜେଲକୁ ୱାରଣ୍ଟ ପାଇଁ ଆବେଦନ କରିବୁ । ଆମେ ରାଜ୍ୟରେ ତା ବିରୋଧରେ ମାମଲାରେ ଦ୍ରୁତତା ଆଣିବା ପାଇଁ କାର୍ଯ୍ୟ କରୁଛୁ । ଅତିକଙ୍କୁ ଜୁନ ୨୦୧୯ରେ ସାବରମତୀ ଜେଲ ସ୍ଥାନାନ୍ତର କରାଯାଇଥିଲା । ସୁପ୍ରିମକୋର୍ଟ ୨୨ ଏପ୍ରିଲ ୨୦୧୯ରେ ଆଦେଶ ଦେଇଥିଲେ ଯେ ଅତିକଙ୍କୁ ଦେବରିୟା ଜେଲରୁ ଗୁଜୁରାଟରେ ଉଚ୍ଚ ସୁରକ୍ଷା ଥିବା ଜେଲକୁ ସ୍ଥାନାନ୍ତର କରାଯାଉ । ସୂଚନାଥାଉକି କିଛି ଦିନ ପୂର୍ବେ ଅତିକଙ୍କ ଓକିଲ ସୁପ୍ରିମକୋର୍ଟରେ ଏହି ସ୍ଥାନାନ୍ତର ବିରୋଧରେ ଆବେଦନ କରିଥିଲେ । ଅତିକ ନିଜ ଆବେଦନରେ କହିଥିଲା ଯେ ମୋତେ ୟୁପିର କୌଣସି ବି ଜେଲକୁ ସ୍ଥାନାନ୍ତର ନକରାଯାଉ । ମୋତେ ଭୟ ରହିଛି ଯେ ୟୁପି ପୋଲିସ ମୋର ପେକ୍ ଏନକାଉଣ୍ଟର କରିପାରେ ।