ଅତିକ୍ ଅହମଦକୁ ଗୁଳି କରି ହତ୍ୟା, ଉତ୍ତେଜନା ଦୃଷ୍ଟିରୁ ୟୁପିରେ ୧୪୪ ଧାରା

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର ଅତିକ ବ୍ରଦର୍ସଙ୍କ ଅପରାଧ ଦୁନିଆର ଦି ଏଣ୍ଡ । ଉତ୍ତରପ୍ରଦେଶରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ପୋଲିସ ଓ ମିଡିଆ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦକୁ ଗୁଳି କରି ହତ୍ୟା କଲେ ୩ ଜଣ। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି ।

ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳଙ୍କ ଆହତ ହୋଇଛନ୍ତି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା  । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।