ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କଲା କ୍ରୀଡ଼ା ଓ ଯୁବସେବା ବିଭାଗ

1 min read

ଭୁବନେଶ୍ବର: ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ସମ୍ବର୍ଦ୍ଧନା । ଗୋଆରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡ଼ା ସହ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି I

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିଲେ କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣା ।

ଶ୍ରାବଣୀଙ୍କ କୋଚ ନୀଳମାଧବ ଦେଓ ଏବଂ ଫିଜିଓ ଅର୍ଜିତା ଲେଙ୍କାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କ ଭଳି ପ୍ରତିଭାବାନ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ ବୋଲି କହିଥିଲେ ମନ୍ତ୍ରୀ । ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଭିତ୍ତିଭୂମି ନିର୍ମାଣ, ବିଶ୍ୱସ୍ତରୀୟ ତାଲିମ, କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଓ ନିଯୁକ୍ତି ପ୍ରଦାନ ନେଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ଆଜି ଓଡିଶାକୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । ଏହି ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ଆଥଲେଟ୍ ଶ୍ରାବଣୀ ନନ୍ଦ ।