ଆଜି ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଥାନ୍ତେ, କାଲି ଦୁନିଆ ଛାଡି ଚାଲିଗଲେ
ନୂଆଦିଲ୍ଲୀ: ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କର ଗତ ଶୁକ୍ରବାରକୁ ମୃତ୍ୟୁ ହୋଇଛି । ଆଜି ତାଙ୍କୁ କ୍ରୀଡ଼ା ଦିବସରେ ଭର୍ଚୁଆଲ ଆଓ୍ୱାର୍ଡ଼ ସମାରୋହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥାନ୍ତା । କିନ୍ତୁ ବିଧିର ବିଧାନ ସବୁ କିଛି ବଦଳାଇ ଦେଇଛି । ଜୀବନର ଏତେ ବଡ଼ ସମ୍ମାନ ପାଇବା ପୂର୍ବରୁ ହୃଦଘାତରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
ଉତ୍ତମ ଆଥଲେଟ ଗଢିବାରେ ପୁରୁଷୋତ୍ତମ ରାୟଙ୍କର ଯଥେଷ୍ଟ ଯୋଗଦାନ ରହିଛି । ଏମାନଙ୍କ ମଧ୍ୟରେ ଏମ.କେ.ଆଶଆ,ଇବି ରାୟଲା, ରୋସା କୁଟ୍ଟୀ, ଅଶ୍ୱିନ ନଚପ୍ପା,ମୁରଲୀ କୁଟ୍ଟନ ଏବଂ ଜିଜି ପରମିଲାଙ୍କ ଭଳି ଖେଳାଳୀ ସାମିଲ ଅଛନ୍ତି, ଯେଉଁମାନେ ଖେଳରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ଚଳିତ ଥର ଖେଳ ମନ୍ତ୍ରାଳୟ ନୂଆ ନିୟମ ପ୍ରଣୟନ କରିଥିଲେ । ଯେଉଁଥିରେ କୌଣସି ଖେଳାଳୀ ବା କୋଚ୍ ନିଜକୁ ନିଜେ ପୁରସ୍କାର ପାଇଁ ନମିନେଟ କରିପାରିବେ । ଏହାଦ୍ୱାରା ସେ ମନ୍ତ୍ରାଳୟ ନଜରକୁ ଆସିଲେ । ଯାହାପରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚୟନ କରାଗଲା । ରାୟ ହେଉଛନ୍ତି ବାଙ୍ଗାଲୁରୁର ଜଣେ ପ୍ରସିଦ୍ଧ କୋଚ୍ । ତେବେ କୌଣସି ସମସ୍ୟା ପାଇଁ ସେ ଏହି ପୁରସ୍କାରରୁ ବଞ୍ଚିତ ଥିଲେ । ମୃତ୍ୟୁ ପୂର୍ବରୁ ପୁରସ୍କାର ପାଇବାକୁ ନେଇ ରାୟ ଖୁବ ଖୁସି ଥିଲେ ।
ସୂଚନାଯୋଗ୍ୟ ରାୟ ୧୯୮୭ର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ,୧୯୮୮ର ଏସିୟାନ ଟ୍ରାକ ଆଣ୍ଡ ଫିଲଡ ଚାମ୍ପିଅନସିପ ସହିତ କେତେକ ଟୂର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମକୁ ସେ କୋଚିଂ ଦେଇଛନ୍ତି ।