ପୁଣି ଅଶାନ୍ତ ଆଠଗଡ଼ ତିଗିରିଆ ଥାନା ଅଞ୍ଚଳର ବେଲଅଣ୍ଟା ଗାଁ

ଆଠଗଡ଼ : ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଆଠଗଡ଼ ତିଗିରିଆ ଥାନା ଅଞ୍ଚଳର ବେଲଅଣ୍ଟା ଗାଁ । ଗତକାଲି ରାତିରେ ପୂର୍ବ ଶତୃତାରୁ ଗାଁରେ ବୋମାମାଡ଼ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ଯରେ ବୋମାମାଡ଼ ହୋଇ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ଗାଁରେ ଏବେ ପୋଲିସ ମୁତୟନ ହୋଇଥିବାବେଳେ ଚାପା ଉତ୍ତେଜନା ଲାଗିରହିଛି ।

ଅଭିଯୋଗ ଅନୁସାରେ ଗତ ହୋଲି ସମୟରେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ର କରି ପୁଣି ଥରେ ଗତକାଲି ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ଗାଁରେ ବୋମାମାଡ଼ କରିଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବାବେଳେ ଆଠଗଡ଼ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସ୍ଥିତିକୁ ନଜରରେ ରଖି ପୋଲିସ ମୁତୟନ କରାଯାଇଛି ।

ଗତ ହୋଲି ଦିନ ଦୁଇଗୋଷ୍ଠୀ ମଧ୍ଯରେ ସଂଘର୍ଷ ଘଟି ୫ ଜଣ ଆହତ ହୋଇଥିଲେ । ଏଥିରେ ଭୋଗଡ଼ାର ସରପଞ୍ଚଙ୍କ ସ୍ବାମୀ ଓ ଦିଅର ଆହତ ହୋଇଥିଲେ । କିଛିଦିନ ପରେ ପୁଣି ଗାଁ ଅଶାନ୍ତ ହୋଇଥିବାବେଳେ ପୋଲିସ ଘଟଣା ଉପରେ ନଜର ରଖିଛି ।