ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ ଯୁବତୀ: ଫାଣ୍ଡି ଭିତରେ ଏଭଳି କାଣ୍ଡ କଲେ ହୋମଗାର୍ଡ

ଆଠଗଡ଼: ଖାକିରେ କଳଙ୍କ । ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇବାକୁ ଉଦ୍ୟମ । ଫାଣ୍ଡିରେ ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଗିରଫ ହେଲେ ହୋମଗାର୍ଡ । ଟାଙ୍ଗୀ ଥାନା ମଙ୍ଗୁଳି ପୋଲିସ ଆଉଟ ପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଯୁବତୀଙ୍କୁ ଅଚିହ୍ନା ପୁରୁଷ ବନ୍ଧୁ ବିବାହର ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାର ଆଣିଥିଲା । ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ବୟସ୍କ ବ୍ୟକ୍ତିଙ୍କ ସାଙ୍ଗରେ ଵିଵାହ କରିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲା ପୁରୁଷ ବନ୍ଧୁ । ଯୁବତୀ ରାଜି ନହେବାରୁ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ମଙ୍ଗୁଳି ଛକରେ ଛାଡ଼ି ଦେଇଥିଲା ।

କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଡରାଇଥିବାବେଳେ ସେ ମଙ୍ଗୁଳି ଆଉଟପୋଷ୍ଟ ଆଡକୁ ଚାଲି ଯାଇଥିଲେ । କାର୍ଯ୍ୟରତ ହୋମଗାର୍ଡଙ୍କ ସହାୟତା ଲୋଡିଥିଲେ ଯୁବତୀ । ହେଲେ ସବୁ କଥା ଶୁଣିବା ପରେ ହିତାହିତ ଜ୍ଞାନ ହରାଇ ଯୁବତୀଙ୍କୁ ଆଉଟ ପୋଷ୍ଟ ରୁମକୁ ନେଇ ଲାଇଟ ଲିଭାଇ ବଳ ପୂର୍ବକ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ କିଛି ଯୁବକ ଆଉଟ ପୋଷ୍ଟ ଲାଇଟ ବନ୍ଦ ହୋଇଥିବା ଦେଖି ଫାଣ୍ଡି ଭିତରକୁ ପଶିଥିଲେ । ଏହା ପରେ ଯୁବତୀ ଜଣକ ଯୁବକମାନଙ୍କୁ ସବୁ କଥା କହିଥିଲେ । ଯୁବକମାନେ ପୋଲିସକୁ ଖବର ଦେବା ପରେ ଟାଙ୍ଗି ପୋଲିସ ହୋମଗାର୍ଡଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

Leave a Reply