ଏଟିଏମରୁ ଟଙ୍କା ବାହାରିବା ଭଳି ସୁଇଚ୍ ଟିପିଲେ ଏଟିଜିରୁ ବାହାରିବ ଚାଉଳ ଓ ଗହମ, ମଞ୍ଚେଶ୍ବରରେ ଖୋଲିବ ରାଜ୍ୟର ପ୍ରଥମ ଏଟିଜି

ଭୁବନେଶ୍ବର: ଏଟିଏମ୍ରୁ ଟଙ୍କା ଉଠାଇବା ତ ଜାଣିଥିବେ । ଏବେ ଏଟିଏମ ଭଳି ସୁଇଚ୍ ଟିପିଲେ ଏଟିଜିରୁ ବାହାରିବ ଚାଉଳ, ଗହମ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ବରର ମଞ୍ଚେଶ୍ବରରେ ଖୋଲିବ ପ୍ରଥମ ଏଟିଜି । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଯାଉଛି ଅଲ୍ ଟାଇମ ଗ୍ରେନ କାଉଣ୍ଟର । କଣ୍ଟ୍ରୋଲ ଦୋକାନରେ ଲମ୍ବା ଲାଇନରେ ଛିଡ଼ା ନ ହୋଇ ଏଟିଜିରୁ ୨୪ ଘଣ୍ଟିଆ ଚାଉଳ ଓ ଗହମ ପାଇବେ ହିତାଧିକାରୀ । ନୂଆବର୍ଷ ପୂର୍ବରୁ ରାସନ କାର୍ଡ଼ଧାରୀଙ୍କୁ ଏଟିଜିର ଉପହାର ଦେବେ ସରକାର ।

ସୂଚନାଯୋଗ୍ୟ, ଶୀଘ୍ର କାର୍ଯ୍ୟକ୍ଷମ ହେବ ରାଜ୍ୟର ପ୍ରଥମ ଅଲ୍ ଟାଇମ୍ ଗ୍ରେନ କାଉଣ୍ଟର । ଭୁବନେଶ୍ବରର ମଞ୍ଚେଶ୍ବରରେ ନୂଆବର୍ଷରେ ଖୋଲିବ ପ୍ରଥମ ଏଟିଜି । କଣ୍ଟ୍ରୋଲ ଦୋକାନରେ ଲମ୍ବା ଲାଇନରୁ ମିଳିବ ମୁକ୍ତି । ଏଟିଜିରେ ମିଳିବ ୨୪ ଘଣ୍ଟିଆ ସେବା । ଓ୍ବାନ ନେସନ, ଓ୍ବାନ ରାସନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମିଳିବ ଫାଇଦା । ଯାହାର ଯେଉଁଠି କାର୍ଡ଼ ଥିଲେ ବି ଏଟିଜିରୁ ନେଇପାରିବେ ଚାଉଳ, ଗହମ । ଓ୍ବାର୍ଲଡ଼ ଫୁଡ଼ ପ୍ରୋଗ୍ରାମ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ଗ୍ରେନ ଏଟିଏମ୍ । ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବିଶ୍ବସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିବା ବେଳେ ସମସ୍ତଙ୍କୁ ସହଜ ଓ ସରଳ ଭାବେ ଚାଉଳ, ଗହମ ପହଞ୍ଚାଇବା ପାଇଁ ଗ୍ରେନ ଏଟିଏମ୍ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ଗ୍ରେନ୍ ଏଟିଏମ୍ରୁ ଜଣେ ହିତାଧିକାରୀ ଚାଉଳ, ଗହମ ନେବାକୁ ହେଲେ ପ୍ରଥମେ ରାସନ କାର୍ଡ଼ କିମ୍ବା ଆଧାର କାର୍ଡ଼ ନମ୍ବର ଦେବାକୁ ହେବ । ଏହାପରେ ବାୟୋମେଟ୍ରିକ ଦେଇ ଏଟିଜିରୁ ଚାଉଳ, ଗହମ ନେଇପାରିବେ । ଏଟିଜିରୁ ୫ କିଲୋର ଚାଉଳ କିମ୍ବା ଗହମ ଏକା ଥରକେ ବାହାରିବ । ଏଟିଜିରେ ଇଂରାଜୀ ବଦଳରେ ଓଡ଼ିଆ ଭାଷା ହିତାଧିକାରୀ ବ୍ୟବହାର କରିବାର ସୁଯୋଗ ପାଇବେ । ମଞ୍ଚେଶ୍ବରରେ ଏଟିଜି କାର୍ଯ୍ୟକ୍ଷମ ହେଲେ ରସୁଲଗଡ଼, ପଳାଶୁଣୀ, ଜିଜିପି କଲୋନୀ, ଚକେଇସିଆଣୀ ଅଞ୍ଚଳର ହିତାଧିକାରୀ ଉପକୃତ ହେବେ । ସରକାରଙ୍କ ଏହି ନୂଆ ବ୍ୟବସ୍ଥାକୁ ବିଶେଷଜ୍ଞ ସ୍ବାଗତ କରିଥିବା ବେଳେ ରାସନକାର୍ଡ଼ ସହିତ ଆଧାର ଲିଙ୍କ ଏବେ ବି କିଛି ଜାଗାରେ ବାକି ଥିବାରୁ ଏହା ଉପରେ ସରକାର ନଜର ଦେବାକୁ ଅପିଲ କରିଛନ୍ତି ।