ବେଲଜିୟମରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ବ୍ରୁସେଲସ୍: ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେଠାରେ ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇଛନ୍ତି । ବେଲଜିୟମର ବ୍ରୁସେଲସ୍ ସିଟି ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବେଲଜିୟମରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ନିଜ ଜନ୍ମମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସାମଗ୍ରିକ ବିକାଶ ଆଜି ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ପରିଚିତ କରାଇପାରିଛି । ଏ କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କର ମଧ୍ୟ ବଡ଼ ଅବଦାନ ରହିଛି । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ସ୍ବତନ୍ତ୍ର ପଦକ୍ଷେପ, ଓଡ଼ିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ।

ଓଡ଼ିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବେଲଜିୟମ ସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତନୁଙ୍କ ସହ ଗସ୍ତରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀକୁ ବେଲଜିୟମର ସଞ୍ଜୟ ପରିଡ଼ା, ରଞ୍ଜିତ ପାଇକରାୟ, ରାମ କୁମାର ରଣା ଯାଦବ, ଅଂଶୁମାନ ତ୍ରିପାଠୀ ଏବଂ ନେଦରଲ୍ୟାଣ୍ଡର ଦୀପକ ପରିଡ଼ା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ ।