spot_img

Latest Posts

ଶୋଇଥିବା ବେଳେ ଲାଗିଲା ନିଆଁ, ୭ଜଣ ଜୀବନ୍ତ ଦଗ୍ଧ

ଇନ୍ଦୋର: ୨ ମହଲା ବିଲଡିଂରେ ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାଟି ହେଉଛି ମଧ୍ୟପ୍ରଦେଶର ଇନ୍ଦୋରର । ସେଠାରେ ଥିବା ଗୋଟିଏ ଦୁଇ ମହଲା ବିଲଡିଂରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ଜଣାପଡ଼ିଛି ।  ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୯ଟି ଜୀବନ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୯ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦେଇଛି । ଏବଂ ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ବାଗ କୋଲନୀରେ ଥିବା ଦୁଇ ମହଲା ବିଲଡିଂରେ ଭୋର ପ୍ରାୟ ୩.୧୦ରେ ନିଆଁ ଲାଗିଥିଲା। ପ୍ରଥମେ ଇଲେକ୍ଟ୍ରିକ ସପ୍ଲାଏ ସିଷ୍ଟମରେ ସଟ ସର୍କିଟ ହୋଇଥିଲା। ସେଠାରେ ପାର୍କିଂ ହୋଇଥିବା ବାଇକ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଆଉ ତାପରେ ସେଠାରୁ ନିଆଁ ପୂରା ବିଲଡିଂକୁ ବ୍ୟାପୀଯାଇଥିଲା। ଲୋକମାନେ ଶୋଇଥିବା କାରଣରୁ ସେମାନେ ଠିକ ସମୟରେ ବାହାରକୁ ବାହାରି ପାରି ନଥିଲେ ବୋଲି କୁହାଯାଉଛି।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ପୋଲିସ୍‌ ଏହି ଘଟଣାରେ ବିଲଡିଂର ମାଲିକ ଅନସର ପଟେଲଙ୍କୁ ଅଟକ ରଖିଛି । ବିଲଡିଂ ତିଆରି କରିଥିଲେ ମଧ୍ୟ ସେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ପୋଲିସ୍‌ ତାଙ୍କ ନାଁରେ ସଙ୍ଗୀନ ଦଫା ଲଗାଇଛି।

Latest Posts

Don't Miss