ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ

ହମାସ: ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ। ପଣବନ୍ଦୀଙ୍କ ମୁକ୍ତି ଲାଗି ଆମେରିକା ସମେତ ବିଭିନ୍ମ ମହଲରୁ ଉଦ୍ୟମ ଜାରି ରହିଥିବାବେଳେ ହମାସର ଏହି ସୂଚନା ପରିସ୍ଥିତିକୁ ଅଧିକ ଜଟିଳ କରିବା ଆଶଙ୍କା ରହିଛି। ଗତ ଅକ୍ଟୋବର ୭ରେ ଇସ୍ରାଏଲରୁ ହମାସ ୨୫୩ପଣବନ୍ଦୀଙ୍କୁ ନେଇଯାଇଥିଲେ ।
କିଛି ପଣବନ୍ଦୀଙ୍କୁ ମୁକ୍ତି ଦିଆଯିବାପରେ ଅବଶିଷ୍ଟ ୧୩୩ଜଣ ପଣବନ୍ଦୀ ହମାସ କବଳରେ ରହିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪୦ ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ଆମେରିକା ଓ ଅନ୍ୟାନ୍ୟ ଦେଶ ମଧ୍ୟସ୍ଥତା କରୁଥିଲେ। ମାତ୍ର ସେହି ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ହମାସ ସୂଚନା ଦେବା ପରେ ସ୍ଥିତି ଜଟିଳ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଆଲୋଚନା ଲାଗି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ଉଦ୍ଯମ ଜାରି ରହିଥିବାବେଳେ ହମାସର ଏହି ବୟାନ ଅନିଶ୍ଚିତତା ସୃଷ୍ଟି କରିଛି ।
ହମାସ କହିଛି ଯେ, ଅତି କମ୍ ସଂଖ୍ୟକ ପଣବନ୍ଦୀ ବର୍ତ୍ତମାନ ଜୀବିତ ରହିଛନ୍ତି। ତେବେ କେତେ ସଂଖ୍ୟକ ପଣବନ୍ଦୀ ଜୀବିତ ରହିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ପ୍ରାଣ ହରାଇଥିବା ପଣବନ୍ଦୀଙ୍କ ମଧ୍ଯରେ ମହିଳା, ଶିଶୁ, ବୟସ୍କ ଥିବା ସୂଚନା ମିଳିଛି। ପଣବନ୍ଦୀ ସମସ୍ଯାର ସମାଧାନ ଲାଗି ଆମେରିକା ପକ୍ଷରୁ ୬ସପ୍ତାହର ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲା। ସମସ୍ୟାର ସମାଧାନ ଲାଗି ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ଣ୍ଣସ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ, କତାର ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ଗୁଇନ୍ଦା ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ତେବେ ଏହା ନିଷ୍ଫଳ ହୋଇଛି । ବର୍ତ୍ତମାନ ଇସ୍ରାଏଲ କବଳରେ ୭୦୦ରୁ ଅଧିକ ପାଲେଷ୍ଟିନୀୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ଯରୁ ଶତାଧିକ ବନ୍ଦୀ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ୩୩ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କୁ ହତ୍ଯା କରାଗଲାଣି ବୋଲି ହମାସ ଅଭିଯୋଗ କରିଛି।