ଭୁବନେଶ୍ୱରରେ ନିଆଁ ବର୍ଷା, ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସିଜୁଛି ରାଜଧାନୀ । ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ପୋଡ଼ି ଯାଉଛି ମୁହଁ । ଆଜି ପୁଣି ରେକର୍ଡ ଭାଙ୍ଗିଛି ଭୁବନେଶ୍ବର । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛି ଜନଜୀବନ । ଖରା ସାଙ୍ଗକୁ ଝାଞ୍ଜି ପବନରେ କଲବଲ ହେଉଛନ୍ତି ରାଜଧାନୀବାସୀ । ରାଜ୍ୟର ଅନ୍ୟ ସହରରେ ମଧ୍ୟ ସମାନ ଅବସ୍ଥା । ୪୦ ଡିଗ୍ରୀ ପାର କରିଛି ଅଧିକାଂଶ ସହର ।

ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲି ଓ ସମ୍ବଲପୁରରେ ୪୦.୮ ଲେଖାଏ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ହୀରାକୁଦ ଓ କେନ୍ଦୁଝରରେ ୪୦ଡିଗ୍ରୀ ରହିଛି ପାରଦ । ଓଡ଼ିଶା ମଧ୍ୟକୁ ବହୁଥିବା ଶୁଷ୍କ ପବନ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଛି । ଆସନ୍ତା 4ଦିନ ପର୍ଯ୍ୟନ୍ତ ମଧ୍ୟ ସମାନ ପାଗ ରହିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।

୭ଦିନ ପାଇଁ ଟ୍ବିନସିଟିରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରିଛି ପାଣିପାଗକେନ୍ଦ୍ର । କାଲିଠୁ 28 ତାରିଖ ଯାଏ କେତେକ ଜିଲ୍ଲା ପାଇଁ ହିଟୱେଭ୍ ସତର୍କତା ଜାରି ହୋଇଛି । ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଏବଂ ୨୭ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡିକୁ ଜାରି ହୋଇଛି ହିଟଓ୍ବେଭ୍ ।