AZD1222 ଟିକା କରୋନା ବିରୋଧରେ ମାନବତାର ଶେଷ ଆଶା ?

1 min read

ନୂଆଦିଲ୍ଲୀ: ବ୍ରିଟେନର ଔଷଧ କମ୍ପାନୀ ଏସଟ୍ରାଜେନେକା କହିଛି ଯେ ସେମାନେ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ ଟିକାର ଲକ୍ଷ ଲକ୍ଷ ଡୋଜର ଉତ୍ପାଦନ ଆରମ୍ଭ କରିଦେଇଛନ୍ତି । କମ୍ପାନୀ କହିଛି ଯେ ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ନରୱେ ସହ ଭାରତରେ ମଧ୍ୟ ଟିକା ପ୍ରସ୍ତୁତ କରାଯାଉଛି। ଅକ୍ସଫୋର୍ଡ ୟୁନିଭରସିଟି AZD1222 ନାମକ ଏକ କରୋନା ଟିକା ପ୍ରସ୍ତୁତ କରିଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ଟିକାର ଫଳାଫଳ ଭଲ ରହିଛି ଏବଂ ପରବର୍ତ୍ତୀ ରାଉଣ୍ଡ ପାଇଁ ପରୀକ୍ଷା ଏବେ ଜାରି ରହିଛି।

ଏସଟ୍ରାଜେନେକାର ସିଇଓ ପୈସ୍କଲ୍ ସୋରିଅଟ୍ ଗଣମାଧ୍ୟମ ସହ କଥାହୋଇ କହିଛନ୍ତି ଯେ, ଆମେ ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯାଉଛୁ । ଫଳାଫଳ ଆସିବା ସମୟରେ, ଆମ ପାଖରେ ଟିକା ପ୍ରସ୍ତୁତ ହୋଇଯାଇଥିବ । ଯଦିଓ ଏଥିରେ ରିସ୍କ ରହିଛି ଯେ, ଯଦି ଟିକା କାମ ନକରେ, ତେବେ ଏହି ପ୍ରସ୍ତୁତ ଟିକା ବେକାର ହୋଇଯିବ । ସେ କହିଛନ୍ତି ଯେ, କମ୍ପାନୀ ଟିକା ପ୍ରସ୍ତୁତ କରି ଲାଭ ପାଇବ ନାହିଁ ଯେଉଁ ପର୍ଯ୍ୟନ୍ତ WHO ମହାମାରୀର ସମାପ୍ତି ଘୋଷଣା କରିନାହିଁ । ପେସ୍କଲ୍ ସୋରିଅଟ୍ କହିଛନ୍ତି ଯେ ତାଙ୍କ କଂପାନୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ଏକ ବିଲିୟନ ଟିକା ଉତ୍ପାଦନ ପାଇଁ  ଚୁକ୍ତି କରିଛି । ୨୦୨୧ ସୁଦ୍ଧା ଏକ ବିଲିୟନ ଟିକାର ଡୋଜ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି । ଏଥି ସହିତ, ୨୦୨୦ ଶେଷ ସୁଦ୍ଧା ୪୦ କୋଟି ଡୋଜ ପ୍ରସ୍ତୁତ ହୋଇପାରିବ ।

ବ୍ରିଟିସ କମ୍ପାନୀ ଏସଟ୍ରାଜେନେକା କହିଛି ଯେ, ସେପ୍ଟେମ୍ବର ଭିତରେ ପୂରା ଦୁନିଆରେ ବିଭିନ୍ନ ଫ୍ୟାକ୍ଟ୍ରି ଟିକା ଗୁଡ଼ିକର ଲକ୍ଷ ଲକ୍ଷ ଡୋଜ ପ୍ରସ୍ତୁତ କରିଥିବ । ଏହାସହ ୨୦୨୧ର ଜୁନ ସୁଦ୍ଧା ୨ ବିଲିୟନ ଡୋଜ ପ୍ରସ୍ତୁତ ହୋଇପାରିବ ।

ଏସଟ୍ରାଜେନେକା କମ୍ପାନୀ ଆମେରିକାକୁ ୪୦ କୋଟି ଟିକା ଯୋଗାଇବା ପାଇଁ କମ୍ପାନୀ ଚୁକ୍ତି କରିଛି ଏଥି ସହିତ କମ୍ପାନୀ ବ୍ରିଟେନକୁ ୧୦କୋଟି ଟିକା ଦେବ। ଯଦିଓ, ଟିକା ଯୋଗାଣ ଅକ୍ସଫୋର୍ଡର ସଫଳତା ଉପରେ ନିର୍ଭର କରେ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟିକାକରଣର ଶେଷ ଫଳାଫଳ ଅଗଷ୍ଟ ସୁଦ୍ଧା ପ୍ରକାଶ କରିପାରେ । AZD1222 ଟିକା ପ୍ରଥମେ ୧୮ରୁ ୫୫ବର୍ଷ ବୟସର ୧୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହା ପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କାରଯାଇଥିଲା ।

ତୃତୀୟ ପର୍ଯ୍ୟାୟରେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟିକା ପରୀକ୍ଷଣରେ ଶିଶୁ ଏବଂ ବୃଦ୍ଧମାନଙ୍କୁ ସାମିଲ କରୁଛି । ଏହି ସମୟ ମଧ୍ୟରେ ସମୁଦାୟ ୧୦୨୬୦ଜଣଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ।

Leave a Reply