ଜରାଜୀର୍ଣ୍ଣ ଅବସ୍ଥାରେ ଅସ୍ତରଙ୍ଗ ଦେବୀ ମୁହାଣ ନିକଟ ନୂଆଗଡ଼ା ମାଛଧରା ବନ୍ଦର ଜେଟି

ନନ୍ଦିଘୋଷ ବ୍ୟୁରୋ: ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ମାଛଧରା ବନ୍ଦର । ଜେଟି, ଗୋଦାମ ଘର ଭାଙ୍ଗିରୁଜି ଯାଇଥିବା ବେଳେ ବଜାର ସୁବିଧା ନଥିବାରୁ ଏହି ମାଛ ଧାରା ବନ୍ଦରରୁ ମୁହଁ ଫେରାଉଛନ୍ତି ଟ୍ରଲର ମାଲିକ । ମାଛଧରା ବନ୍ଦରରେ କୌଣସି ସୁବିଧା ନଥିବାରୁ ପ୍ରଭାବିତ ହେଉଛି ମତ୍ସ୍ୟ ସମ୍ପଦ ଉପରେ ନିର୍ଭରଶୀଳ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ।

ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦେବୀ ମୁହାଣ ନିକଟ ନୂଆଗଡ଼ା ସ୍ଥିତ ମାଛଧରା ବନ୍ଦର ଜେଟି । ଭାଙ୍ଗିରୁଜି ଗଲାଣି ଗୋଦାମ ଘର । ମୁହଁ ଫେରାଉଛନ୍ତି ଟ୍ରଲର ମାଲିକ । ସାମୁଦ୍ରିକ ମତ୍ସ୍ୟବିଭାଗ ମାଛଧରା ବନ୍ଦର ପାଇଁ ୧୦୦ରୁ ଅଧିକ ଟ୍ରଲରଙ୍କୁ ଲାଇସେନ୍ସ ଦେଇଛି । ପିଇବା ପାଣି, ଲାଇଟ, ଗୋଦାମ ଗୃହ, ଡିଜେଲ ପମ୍ପର ବ୍ୟବସ୍ଥା ନଥିବା ବେଳେ ବରଫ ଫ୍ୟାକ୍ଟ୍ରି, ଟ୍ରଲର ମରାମତି ଓ ଟ୍ରଲର ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଦେବୀ ନଦୀ ଗର୍ଭ ଓ ମୁହାଁଣରେ ବାଲିଚର ଯୋଗୁଁ ସମୁଦ୍ରକୁ ମାଛ ମାରିବାକୁ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଟ୍ରଲର । ନୂଆଗଡ ଛାଡ଼ି ପାରାଦୀପ ମାଛଧରା ବନ୍ଦରକୁ ଚାଲି ଗଲେଣି ଅନେକ ଟ୍ରଲର । ଏଠାରେ ୧୦ରୁ ୧୫ଟି ଟ୍ରଲର ଜେଟିରେ ଲାଗୁଛି । ବଜାର ସୁବିଧା ନଥିବାରୁ ସେହି ଟ୍ରଲର ମଧ୍ୟ ଏହି ମାଛଧରା ବନ୍ଦରରୁ ମୁହଁ ଫେରାଇବାକୁ ବସିଲେଣି ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦେବୀ ମୁହାଣ ଠାରୁ ଆରମ୍ଭ କରି କେଲୁଣି ମୁହାଣ ପର୍ଯ୍ୟନ୍ତ ୨୦ କିଲୋମିଟର ଉପକୂଳ ମଧ୍ୟରେ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାର୍ଶ୍ଵବର୍ତ୍ତୀ ନୂଆଗଡ଼ାଠାରେ ମାଛଧରା ବନ୍ଦର ରହିଛି । ୧୯୯୯ ମସିହା ମହାବାତ୍ୟାରେ ଏହି ମାଛଧରା ବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା । ଏଠାରେ ଅତ୍ୟାଧୁନିକ ମାଛଧରା ବନ୍ଦର ପାଇଁ ପୂର୍ବ ସରକାର ପ୍ରସ୍ତାବ ଦେଇଥିଲେ । ୨୦୧୮ ମସିହାରେ ବାଙ୍ଗାଲୋରର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ କୋଷ୍ଟାଲ ଇଞ୍ଜିନିୟରିଂ ଅନ୍ ଫିସରି ପକ୍ଷରୁ ୧୬ଜଣିଆ ଟିମ୍ ଆସି ସର୍ଭେ କାର୍ଯ୍ୟ କରିଥିଲେ । ୨୦୨୨ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ମଧ୍ୟ ହୋଇଥିଲା । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏହା କାର୍ଯ୍ୟକାରୀ କରାଯାଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି । କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଅନୂମୋଦନ ପାଇଁ ଏହି ପ୍ରକଳ୍ପ ଅଟକିଥିବାର ସ୍ଥାନୀୟ ମତ୍ସ୍ୟ ଅଧିକାରୀ କହିଛନ୍ତି । ଏ ନେଇ ଓଡିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତି ପ୍ରସନ୍ନ ବେହେରା ଉଦବେଗ ପ୍ରକାଶ କରିଛନ୍ତି । ମତ୍ସ୍ୟଜୀବୀଙ୍କୁ ବଞ୍ଚିବାର ରାହା ଯୋଗାଉଛି ନୂଆଗଡ଼ା ମାଛଧରା ବନ୍ଦର । ଏଠାରେ ଅତ୍ୟାଧୁନିକ ମାଛଧରା ବନ୍ଦର ନିର୍ମାଣ କରିବାକୁ ଡବଲ ଇଞ୍ଜିନ ସରକାର କେବେ ପଦକ୍ଷେପ ନେଉଛି, ତାକୁ ଦେଖିବାକୁ ବାକି ରହିଲା  ।