ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି ସାନଭାଇ, ଏବେ ଗରିବୀ ସାଜିଛି ବାଧକ

ପୁରୀ: ଭାଇର ପରିବାର ପାଇଁ ସାହା ହୋଇଛି ଭାଇ । ବଡ ଭାଇର ମୃତ୍ୟୁ ପରେ ତାଙ୍କ ମାନସିକ ବିକୃତ ସ୍ତ୍ରୀ, ଝିଅ ଓ ପୁଅକୁ ସମ୍ଭାଳିଛନ୍ତି ସାନ ଭାଇ । ହେଲେ ତିନି ଜଣଙ୍କ ଔଷଧ ଖର୍ଚ୍ଚ ତୁଳାଇବା ପାଇଁ ଏବେ ସେ ସକ୍ଷମ ନୁହଁନ୍ତି । ଗରିବି ସାଜିଛି ସମସ୍ୟା । ତିନି ଜଣଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସାନ ଭାଇ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି ଏଭଳି ଖବର ।

ଭାଇ ହେବ ତ ଏମିତି । ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି । ମାନସିକ ବିକୃତ ଭାଉଜ, ଝିଆରୀ ଓ ପୁତୁରାର ଦାୟିତ୍ବ ନେଇଛନ୍ତି । ତିନି ଜଣଙ୍କ ଅଳି ଅର୍ଦ୍ଦଳି ସହୁଛନ୍ତି ସାନଭାଇ । ହେଲେ ଗରିବୀ ସାଜିଛି ବାଧକ । ସେମାନଙ୍କ ଚିକିତ୍ସା ପାଇଁ ଏବେ ସହାୟତା ମାଗୁଛନ୍ତି ପୁରୀ ବରପଦା ଗାଁର ଦେବେନ୍ଦ୍ର ଲେଙ୍କା । ବଡ ଭାଇ ରାଜକିଶୋର ଲେଙ୍କାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ବେସାହାରା ହୋଇ ପଡିଥିଲେ । ସେମାନଙ୍କ ଦାୟିତ୍ବ ନେବାକୁ କେହି ନଥିଲେ । ଫଳରେ ନିଜ ପରିବାରର ଅଙ୍ଗ ଭାବି ଏମାନଙ୍କ ଦାୟିତ୍ବ ମୁଣ୍ଡ ଉପରକୁ ନେଇଛନ୍ତି ଦେବେନ୍ଦ୍ର । ହେଲେ ତିନି ଜଣଙ୍କୁ ପୋଷିବାରେ ଦେବେନ୍ଦ୍ରଙ୍କ ବୃଦ୍ଧାବସ୍ତା ଏବଂ ଗରିବୀ ବାଧକ ସାଜିଛି । ଏବେ ସେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ଭାଉଜ, ଝିଆରୀ ଓ ପୁତୁରାଙ୍କ ସେବାରେ ଦିନ ଦିନ ବିତାଇ ଦେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ରଙ୍କ ଏହି ବଳିଦାନକୁ ପ୍ରଶଂସା କରିବା ସହ ଏହି ମାନସିକ ବିକୃତଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ ପାଇଁ ବନ୍ଦୋବସ୍ତ କରାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସେପଟେ ତିନି ମାନସିକ ବିକୃତଙ୍କ ଅତିଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ।