ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ

1 min read

ଭୁବନେଶ୍ବର: ଓଡ଼ିଶା ବିକାଶର ଗତିରେ ଶକ୍ତି ଭରିଛି 5T । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ରାଜ୍ୟର ରୂପାନ୍ତରଣକୁ ଆଗେଇନେବାକୁ ସମୃଦ୍ଧିର ସାରଥିଙ୍କ ହାତରେ ହାତ ମିଶାଉଛନ୍ତି ରାଜ୍ୟବାସୀ । ନୂଆ ଦାୟିତ୍ବ ଓ ବିକାଶର ଧାରାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନବୀନ ନିବାସରେ ଆଜି ବି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସଂଗଠନ । ରାଜ୍ୟର ସାମଗ୍ରିକ ବିକାଶରେ 5Tର ଗୁରୁତ୍ବ ଉଲ୍ଲେଖନୀୟ । ଶିକ୍ଷା, ସ୍ବାସ୍ଥ୍ୟଠୁ ଆରମ୍ଭ କରି କ୍ରୀଡ଼ା ଓ ଯୋଗାଯୋଗ କ୍ଷେତ୍ରରେ 5T ସ୍ପର୍ଶ ରୂପାନ୍ତରଣ ଆଣିଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରି ଓଡ଼ିଶାକୁ ପ୍ରଗତିପଥରେ ଆଗେଇନେବାକୁ ଦିନରାତି ଏକ କରିଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ବିକାଶ ପ୍ରତି ପାଣ୍ଡିଆନଙ୍କ ଏହି ସମର୍ପିତ ସେବା ପାଇଁ ଅନେକ ସଙ୍ଗଠନ ଅଭିନନ୍ଦନ ଜଣାଇବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି । କଟକ ଯାଦବ ମହାସଂଘ, ଜିଲ୍ଲା ପରିଷଦ ସଭାପତି ଓ ସଦସ୍ୟ, ବାରିକ ମହାସଂଘ, ରାଜ୍ୟର ବିଭିନ୍ନ ପୌରପାଳିକାରେ ଏମଆଇଏସ୍ ଭାବେ କାମ କରୁଥିବା କର୍ମଚାରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପ୍ରଶାନ୍ତି ବିହାର, ଶୈଳଶ୍ରୀ ବିହାର, ନିଳାଦ୍ରୀବିହାର, ଶ୍ୟାମପୁର ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଅଭିନନ୍ଦନ ଜଣାଇବା ସହ ନିଜ ନିଜର ଦାବି ସମ୍ପର୍କରେ କହିଛନ୍ତି । ଲିଜ୍ ଜମିର ମାଲିକାନା ହସ୍ତାନ୍ତର ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଥିବା ବେଳେ ଏଥିପାଇଁ ଧାର୍ଯ୍ୟ ମୂଲ୍ୟ ଏବେକାର ଦର ହିସାବକୁ ନନେଇ ଯେବେଠାରୁ କିଣିଛନ୍ତି ସେହି ଦାମ ହିସାବରେ ଫି ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି 5T ଅଧ୍ୟକ୍ଷ । ବର୍ଷ ବର୍ଷ ଧରି ପଡ଼ିରହିଥିବା ସମସ୍ୟା କିଛି ମୁହୁର୍ତ୍ତରେ ସମାଧାନ ହୋଇଛି । ଏଥିପାଇଁ ପାଣ୍ଡିଆନଙ୍କ ଉପରେ ସମସ୍ତଙ୍କର ବିଶ୍ବାସ ବଢିଛି ।