ରାଜ୍ୟ ସରକାରଙ୍କୁ ୧୭ ସୁପାରିଶ: ତୁରନ୍ତ ଲାଗୁ କର ପେସା ଆଇନ, କମ୍ପାନୀ ପ୍ରକଳ୍ପ ନକଲେ ଜମି ଫେରାଇ ଆଣ

ଭୁବନେଶ୍ବର: ବିଧାନସଭାର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଷ୍ଟାଣ୍ଡିଂ କମିଟି ୧୭ଟି ସୁପାରିଶ ସମ୍ବଳିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ସବୁ କ୍ଷେତ୍ରରେ ପଛୁଆ ପଡ଼ିଛନ୍ତି, ସେସବୁ କିଭଳି ମୁଖ୍ୟଧାରାରେ ସାମିଲ କରାଯାଇ ପାରିବ ସେ ନେଇ ଏଥିରେ ପରାମର୍ଶ ଦିଆଯାଇଛି । ଅନେକ ଜନହିତକର ପଦକ୍ଷେପ ପାଇଁ ପୂର୍ବର ବିଜେଡି ସରକାରକୁ ଷ୍ଟାଣ୍ଡିଂ କମିଟି ପ୍ରଶଂସା କରିଛି ।

ପ୍ରାକୃତିକ ବିପର୍ଯ୍ୟୟରେ ବାରମ୍ଵାର ପ୍ରଭାବିତ ହେଉଥିବା ଓଡ଼ିଶାରେ ରାଜ୍ୟ ସରକାର କିଭଳି କାମ କରିବା ଉଚିତ, ସେ ନେଇ ବିଧାନସଭା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଷ୍ଟାଣ୍ଡିଂ କମିଟି କେତେକ ଗୁରୁତ୍ଵପୂର୍ଣ୍ଣ ସୁପାରିଶ କରିଛି । ସହରାଞ୍ଚଳର ଜଙ୍ଗଲ ଜମିରେ ବାସ କରୁଥିବା ଭୂମିହୀନଙ୍କୁ କିଭଳି ପଟ୍ଟା ବଣ୍ଟନ କରାଯିବ, ସେ ନେଇ ମଧ୍ୟ କମିଟି ସୁପାରିଶ କରିଛି । ପୂର୍ବର ବିଜେଡି ସରକାର ପରବର୍ତ୍ତୀ ପୀଢ଼ିକୁ ନଜରରେ ରଖି ନୂଆ ସେଟେଲମେଣ୍ଟ ଆଣିବାକୁ ଲକ୍ଷ୍ୟ ରଖିଥିଲେ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବାର ୬ ମାସରୁ ଅଧିକ ସମୟ ହୋଇ ଯାଇଥିଲେ ମଧ୍ୟ ସେହି ଫାଇଲ ଆଉ ପାଦେ ବି ବଢ଼ିନାହିଁ। ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର କିଭଳି କାର୍ଯ୍ୟ କରିବା ଦରକାର ସେ ନେଇ ରାଜ୍ୟ ସରକାରଙ୍କୁ ୧୭ଟି ସୁପାରିଶ କରିଛି କମିଟି । ଏସବୁର ଅଗ୍ରଗତି ନେଇ ପରବର୍ତ୍ତୀ ବୈଠକରେ କୈଫୟତ ମଗାଯିବ ବୋଲି କହିଛନ୍ତି କମିଟିର ସଦସ୍ୟ ରମେଶ ବେହେରା ।

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ କରିଥିବା ପ୍ରମୁଖ ସୁପାରିଶ ହେଲା…

  • ଲ୍ୟାଣ୍ଡ ବ୍ୟାଙ୍କ ତିଆରି କରି ସରକାରୀ ଜମିରେ ପାଚେରୀ ଉଠାଯାଉ
  • ବୃଦ୍ଧି କରାଯାଉ ଜମିର ଖଜଣା
  • ସବୁ ଜମିରେ ନୂଆ ସେଟେଲମେଣ୍ଟ ଲାଗୁ କରାଯାଉ
  • ଲଘୁ ଖଣିଜ ପଦାର୍ଥକୁ ରାଜସ୍ଵ ବିଭାଗ ଅଧୀନକୁ ଅଣାଯାଉ
  • ସହରାଞ୍ଚଳରେ ଯେଉଁମାନେ ଜଙ୍ଗଲ ଜମିରେ ରହୁଛନ୍ତି, ସେମାନଙ୍କୁ ଅନାବାଦୀ ଜମି ପ୍ରଦାନ କରାଯାଉ
  • ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ଅଡିଟ କରାଯାଇ ବଜେଟରେ ସ୍ଵତନ୍ତ୍ର ଅର୍ଥର ବ୍ୟବସ୍ଥା କରାଯାଉ
  • ରେଳ, ଏୟାରପୋର୍ଟ ପରି ପ୍ରକଳ୍ପ ପାଇଁ ତ୍ଵରାନ୍ଵିତ ହେଉ ଜମି ଅଧିଗ୍ରହଣ
  • ଜମି ନେଇ ଯେଉଁ କମ୍ପାନୀ ପ୍ରକଳ୍ପ କରୁନି, ଜମି ଫେରାଇ ଅଣାଯାଉ ବା ଜରିମାନା କରାଯାଉ
  • ତୁରନ୍ତ ପେସା ଆଇନ ଲାଗୁ କରାଯାଉ
  • ଅଂଶୁଘାତରେ ପ୍ରାଣ ହରାଉଥିବା ଲୋକଙ୍କୁ ସଂଶୋଧିତ ହାରରେ କ୍ଷତିପୂରଣ ଦିଆଯାଉ

ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ତତ୍କାଳୀନ ସରକାର ରାଜ୍ୟରେ ନୂଆ ପୁଞ୍ଜି ନିବେଶ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବି ସମ୍ମାନ ମିଳିଛି । ସେହି ପଦକ୍ଷେପକୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଷ୍ଚାଣ୍ଡିଂ କମିଟି ପ୍ରଶଂସା କରିଛି ।