ମାଓବାଦୀ କାର୍ଯ୍ୟକଳାପ ନେଇ ବିଧାନସଭାରେ କ’ଣ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ମାଓବାଦୀ କାର୍ଯ୍ୟକଳାପ ସଂକ୍ରାନ୍ତରେ  ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ସମ୍ପ୍ରତି ରାଜ୍ୟର ୧୫ ଜିଲ୍ଲା ମାଓ ପ୍ରଭାବିତ । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ୱଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ମାଓବାଦୀଙ୍କ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ  । ଉପରୋକ୍ତ  ଜିଲ୍ଲା ଗୁଡ଼ିକରେ ୨୦୧୫ ମସିହାରୁ ୩୧ ଅକ୍ଟୋବର ୨୦୧୯ ସୁଦ୍ଧା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୋଟ ୧୧୫ଟି ଗୁଳି ବିନିମୟ ଘଟଣା ଘଟିଛି  । ଏହିସବୁ ଘଟଣାରେ ୩ଜଣ ରାଜ୍ୟ ପୋଲିସ କର୍ମଚାରୀ,  ୩ଜଣ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀ ଏବଂ ୧୧ ଜଣ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ  ୨୦ ନଭେମ୍ୱର ୨୦୧୯ ସୁଦ୍ଧା ପୋଲିସ ଏନ୍‌କାଉଣ୍ଟରରେ ମୋଟ ୧୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୭ ଜଣ ଆହତ ହୋଇଛନ୍ତି ।

ସେହିପରି ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆଙ୍କ  ତଦନ୍ତ କମିଶନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଅଧିନରେ ୫ଗୋଟି ତଦନ୍ତ କମିଶନ ଗଠନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି ଏବଂ ଚୂଡ଼ାନ୍ତ ରିପୋର୍ଟ ଦେବା ସମ୍ପର୍କରେ ଜଣାଇ ନାହାନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନ ହେବାରୁ କମିଶନମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତଦନ୍ତ କମିଶନ ନିମନ୍ତେ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୧କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ବିଧାୟକ ଜୟନାରାୟଣ ମିଶ୍ରଙ୍କ ହାଜତ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ ଏଯାବତ୍‌ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply