ବିଧାନସଭାରେ ଜୟନାରାୟଣ ଝଡ଼, ଅଭିନବ ଉପାୟରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି ଖୋଜିଲେ ବିଜେଡି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଜୟ ନାରାୟଣ ଝଡ଼ । ଓଡିଶା ବିଭାଜନ ବୟାନକୁ ବିଜେଡିର ତୀବ୍ର ବିରୋଧ । ଅସ୍ମିତା କଥା କହି ରାଜ୍ୟ ସଙ୍ଗୀତକୁ ବିରୋଧ କାହିଁକି ? ଜୟ ନାରାୟଣ ଜବାବ, ମୁଁ ଯାହା କହିଛି ମୋ ଷ୍ଟାଣ୍ଡରେ ପରିବର୍ତନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲା ବିଜେଡି । ଜୟ ନାରାୟଣଙ୍କ ଓଡିଶା ବିଭାଜନ ମନ୍ତବ୍ୟ ଓ ରାଜ୍ୟ ସଙ୍ଗୀତକୁ ଅସମ୍ମାନ ପ୍ରସଙ୍ଗରେ କମ୍ପିଛି ବିଧାନସଭା । ତୁରନ୍ତ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତି ରଖିବାକୁ ବିଜେଡି ବିଧାୟକମାନେ ଦାବି କରିଛନ୍ତି । ପ୍ରଶ୍ନକାଳ ଆରମ୍ଭ କ୍ଷଣି ବିଜେଡି ଆଜି ମଧ୍ୟ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିରୋଧ କରି ହଟ୍ଟଗୋଳ କରିଥିଲେ । ଏହାପରେ ବିଜେଡି ବିଧାୟକମାନେ ବିଧାନସଭାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ତଳେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ପ୍ରତିବାଦ କରିଥିଲେ । ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ବିଧାୟକଙ୍କ ବିରୋଧରେ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ଏହାସହ ଅଭିନବ ଉପାୟରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି ଖୋଜିଥିଲେ ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀ ଚାମ୍ବର ପାଖରେ ଲଣ୍ଠନ ଧରି ଖୋଜିଥିଲେ ବିଜେଡି ବିଧାୟକ ।
ସେପଟେ ଦୁଇଦିନ ଧରି ଓଡିଶା ବିଭାଜନ ବୟାନ ଦେଇ ଜୟ ନାରାୟଣ ମିଶ୍ରଙ୍କ ବିବାଦରେ ଛନ୍ଦି ହେବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିରୋଧ ପରେ ମୁହଁ ଖୋଲିଛନ୍ତି ଜୟ ନାରାୟଣ । ସେ କହିଛନ୍ତି ଯେ, ମୁଁ ଯାହା କହିଛି ମୋ ଷ୍ଟାଣ୍ଡରେ ପରିବର୍ତ୍ତନ ହେବାର ନାହିଁ । ଉତ୍କଳ କଳିଙ୍ଗ କୋଶଳ ମିଶି ଓଡିଶା ତିଆରି ହୋଇଥିଲା ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା ଅଛି । ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କିଛି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି ବୋଲି କହି ରାଜ୍ୟ ସଂଗୀତକୁ ବିରୋଧ କରିଥିଲେ ଜୟ । ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ ବୋଲି ଜୟ ଦାବି ଜଣାଇଛନ୍ତି । ସେପଟେ ଜୟନାରାୟଣ ପାଗଳ ହେଇଗଲେଣି ବୋଲି କହିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଁ କେବେ ସମ୍ବଲପୁର ବିରୋଧୀ ନଥିଲି । ଜୟନାରାୟଣ କେବେବି ମୋତେ ଦେଶଦ୍ରୋହୀ, ଆତଙ୍କବାଦୀ କିମ୍ବା ପାକିସ୍ଥାନୀ ବୋଲି ଆକ୍ଷଏପ କରିପାରନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମନ୍ତ୍ରୀମାନେ ସ୍ପଷ୍ଟୀକରଣ ରଖିୂବାକୁ ରଣେନ୍ଦ୍ର ଦାବି କରିଛନ୍ତି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ରାଜ୍ୟ ସଙ୍ଗୀତକୁ ଅସମ୍ମାନ ସେମାନଙ୍କ ଅହଙ୍କାରର ପରିଚୟ ।
ଯଦି ଜୟ ନାରାୟଣ ମିଶ୍ର ଉତ୍କଳ ଶବ୍ଦକୁ ଉଠାଇ ଦେବାକୁ ଦାବି କରୁଛନ୍ତି , ତେବେ ଜାତୀୟ ସଂଗୀତରୁ ଉତ୍କଳ ଉଠାଯିବ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ନିଜ ମତ ରଖନ୍ତୁ । ସେମାନେ ଜୟ ନାରାୟଣ ମିଶ୍ରଙ୍କ କଥାକୁ ସମର୍ଥନ କରନ୍ତୁ, ନହେଲେ ରାଜ୍ୟ ସଙ୍ଗୀତକୁ ସମ୍ମାନ ଦିଅନ୍ତୁ ବୋଲି ଦୁଇ ବିରୋଧୀ ବିଧାନସଭାରେ ଦାବି କରିଛନ୍ତି ।