spot_img

Latest Posts

ବିଶୃଙ୍ଖଳାର ସୀମା ଟପିଲା ବିଜେପି, ବିରୋଧୀ ବିଧାୟକଙ୍କୁ ଠେଲାପେଲା, ଧସ୍ତାଧସ୍ତି , ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସର ଆହୋରାତ୍ର ଧାରଣା

ନନ୍ଦିଘୋଷ ବ୍ୟୁରୋ:   ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ
                           ବିଶୃଙ୍ଖଳାର ସୀମା ଟପିଲା ବିଜେପି
                           କଲର ଧରିଲେ, ଅସଭ୍ୟ ଭାଷାରେ କଲେ ଗାଳିଗୁଲଜ
                           ବିଜେପି ଯେଉଁଠି, ଦାଦାଗିରି ଓ ଗୁଣ୍ଡାଗିରି ସେଇଠି
ବିଧାନସଭାରେ ସୃଷ୍ଟି ହୋଇଛି ଅଶୋଭନୀୟ ସ୍ଥିତି । ପ୍ରଶ୍ନୋତ୍ତର ବେଳେ ହାତାହାତି ହେଲେ ଶାସକ ଓ ବିରୋଧୀ ବିଧାୟକ । ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ପ୍ରତିବାଦ କରୁଥିଲା ବିଜେଡି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରୁଥିଲା କଂଗ୍ରେସ । ଠିକ ଏତିକି ବେଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ରଙ୍କ ପାଖକୁ ଯାଇ ହାତ ଯୋଡି ପ୍ରତିବାଦ କରୁଥିବା କଂଗ୍ରେସ ସଦସ୍ୟଙ୍କୁ ମାଡ଼ ମାରିବାକୁ ଧାଇଁ ଆସିଲେ ବିଜେପି ସଦସ୍ୟ। ଆରମ୍ଭ ହେଲା ହାତାହାତି ପରିସ୍ଥିତି। ସ୍ଥିତି ଏପରି ହେଲା ଯେ, କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଲର ଧରିବାକୁ ପଛାଇ ନଥିଲେ ଜୟ ନାରାୟଣ। ତା ସାଙ୍ଗକୁ ଅଶୋକ ମହାନ୍ତି ଓ ରାଜନ ଏକାଙ୍କ ଧକ୍କା ମରା ଭିଜୁଆଲ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ବିଜେପି ଯେଉଁଠି, ଦାଦାଗିରି ଓ ଗୁଣ୍ଡାଗିରି ସେଇଠି । ଧକ୍କା ମରାରୁ ଠେଲାପେଲା, ହାତ ଉଠାଇବାରୁ ପାଟିତୁଣ୍ଡ ପରି ବିଶୃଙ୍ଖଳିତ ଆଚରଣକୁ ପ୍ରଥମ ଥର ପାଇଁ ଦେଖିଲା ଓଡ଼ିଶା। ବିରୋଧୀଙ୍କୁ ପ୍ରତିହତ କରିବାର କାମ ଯେଉଁଠି ମାର୍ଶାଲ ଓ ତାଙ୍କ ଟିମର, ସେଠାରେ କିନ୍ତୁ ବିଜେପି ସଦସ୍ୟ ମାର୍ଶାଲ ସାଜି ବିରୋଧୀଙ୍କୁ କଲେ ଆକ୍ରମଣ। ଏପରି ହିଂସାତ୍ମକ ଆଚରଣ କରିବାକୁ ସରକାରୀ ଦଳକୁ ଅନୁମତି ଦେଲା କିଏ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତ ମାଡ଼ ମାରିବାକୁ ପ୍ରବର୍ତ୍ତାଇବା ଦୃଶ୍ୟ ରାଜ୍ୟକୁ ନିନ୍ଦିତ କରିଛି। ହେଲେ ବିଜେପିର ଦାଦାଗିରିକୁ କଂଗ୍ରେସ ଡରିବ ନାହିଁ ବୋଲି ରୋକଠୋକ ଚେତାଇ ଦେଇଛନ୍ତି ତାରା ବାହିନୀପତି। ସେହିପରି ସରକାରୀ ଦଳ ବିଧାନସଭା ଇତିହାସର ଏକ କଳା ଦିବସ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ତିନି ଦିନ ହେଲାଣି ଚାଲି ପାରୁନି ବିଧାନସଭା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦେଖା ସାକ୍ଷାତ ମିଳୁନି। କିନ୍ତୁ ଗୃହରେ ପ୍ରତିବାଦ ବେଳେ ସରକାରୀ ଦଳ ଯେପରି ଗୁଣ୍ଡାରାଜ ଚଳାଇଲା, ତାକୁ ନିନ୍ଦା କରିଛନ୍ତି ବିରୋଧୀ। ହାତ ଯୋଡି ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଗରେ ଗୁହାରି ହୋଇଥିବା କଂଗ୍ରେସ ସଦସ୍ୟ ଯେ ହାତ ଯୋଡ଼ା ବଦଳରେ ବିଜେପି ବିଧାୟକଙ୍କ ହାତାହାତିର ସମ୍ମୁଖୀନ ହେବେ, ତାହା ବିରଳ ଘଟଣା। ସେପଟେ କିନ୍ତୁ ଦୋଷ ଛଡ଼ାଇବାକୁ ଯାଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିରୋଧୀ ତାଙ୍କ କଥା ଶୁଣିଲେନି।

ପୂର୍ବ ସରକାରରେ ବି ଗୃହ ଭିତରେ ବିରୋଧୀ ଦଳ ପ୍ରତିବାଦ କରିଛନ୍ତି। ସେ ସମୟରେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଶାସକ ଦଳର ବରିଷ୍ଠ ବିଧାୟକ ଆସି ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରନ୍ତି। ହେଲେ କେବେ ଆନ୍ଦୋଳନ ଭଣ୍ଡୁର କରିବାକୁ ବିରୋଧୀଙ୍କୁ ଆକ୍ରମଣ କରାଯାଇନାହିଁ। କିନ୍ତୁ ଏବେ ଶାସକ ବିଜେପି ବିରୋଧୀ ବିଧାୟକଙ୍କୁ ଆକ୍ରମଣ କରି ଗଣତନ୍ତ୍ରର ସବୁ ଗରିମାକୁ ଟପିଗଲେ ବୋଲି ଚର୍ଚ୍ଚା ହେଉଛି।

 

Latest Posts

Don't Miss