ପ୍ରଚାରର ଅନ୍ତିମ ଦିନ; ଆସାମ-ପଶ୍ଚିମବଙ୍ଗରେ ରଙ୍ଗୀନ ମୈଦାନ, ଥମୁନି କମ୍ପନ

ଭୁବନେଶ୍ୱର : ପାଞ୍ଚ ରାଜ୍ୟରେ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦିନକ ପରେ ବାଲାଟ ବାକ୍ସରେ ଭୋଟ ପଡିବାକୁ ଯାଉଥିବା ବେଳେ ଶେଷ ଦିନରେ ରାଜନୈତିକ ରଣାଙ୍ଗନ ହେବାକୁ ଯାଉଛି ରଙ୍ଗୀନ । ପଶ୍ଚିମବଙ୍ଗ ଓ ଆସାମରେ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେପଟେ ଶେଷ ଦିନରେ ମଧ୍ୟ ମୈଦାନ ମୁହାଁ ସମସ୍ତ ଦଳର ନେତା ।

ବିଜେପି ପକ୍ଷରୁ ଅନ୍ତିମ ଦିନରେ ପଶ୍ଚିମବଙ୍ଗ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିଭଳି ବିଜେପି ପକ୍ଷରୁ ମଧ୍ୟ ରୋଡ ଶୋ ଏବଂ ପ୍ରଚାର କରିବେ ବଲିଉଡ ତାରକା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିବେ । ପୁଣି ଥରେ କ୍ଷମତା ଦାଖଲ କରିବା ପାଇଁ ଜୋର ଲଗାଇବେ ଦିଦି ।

ସେହିଭଳି ଆସାମ ଏବଂ ଅନ୍ୟ ତିନି ରାଜ୍ୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ପ୍ରଚାର କରିବେ । ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଦିଦିଙ୍କ ଭୋଟ ପ୍ରତିଶତ କମିବାକୁ ଯାଉଥିବା ମଧ୍ୟ ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ସେହିଭଳି ବିଜେପିର ଶହେରୁ ଅଧିକ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ଦଳ । ଏହାକୁ ନେଇ ମଧ୍ୟ ଦଳ ମୁଦ୍ଧା କରିଛି । ପଶ୍ଚିମବଙ୍ଗରେ ଏଭଳି ଗୁଣ୍ଡା ସରକାରକୁ ତୁରନ୍ତ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ନିର୍ବାଚନୀ ପ୍ରଚାରରେ ବୁଧବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ବିଜେପିକୁ ମଧ୍ୟ ନିଶାନା କରିଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ବାଲା ପାନ ଖାଇ କଥା କହୁଛନ୍ତି, ପଶ୍ଚିମବଙ୍ଗକୁ ବିକ୍ରି କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ତେଣୁ ଆଜି ପ୍ରଚାରର ଅନ୍ତିମ ଦିନ ଥିବାବେଳେ ଏ ମନାହୋଲ ଆହୁରି ସରଗରମ ହେବାକୁ ଯାଉଛି । ସେପଟେ ଆସାମରେ ଏଥର ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି କଡା ଫାଇଟ୍ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ପାଇଁ ଜୋରଦାର କ୍ୟାମ୍ପେନିଂ କରୁଛନ୍ତି । ଅନ୍ୟପଟେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମଧ୍ୟ ବିଜେପି, କଂଗ୍ରେସ ସମେତ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ଜୋରଦାର କରିଛନ୍ତି ପ୍ରଚାର।

Leave a Reply