ସେପ୍ଟେମ୍ବର ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୧୮ରେ ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ । କାଉଣ୍ଟର ପାଇଁ ପ୍ରସ୍ତୁତ ହେବ ଶାସକ ଦଳ । ବିଳମ୍ବ ଘଟିଲା, ଭୟ ଦୂର ହେଲା। ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସ ସହ ୨୫ ତାରିଖ ଯାଏ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ୧୪ ମାସରେ ବିଜେପି ସରକାର ବିଫଳତାକୁ ବିଧାନସଭାରେ ଉଠାଇ ବିଜେଡି ଜବାବ ମାଗିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ ସରକାର ବିଳମ୍ବରେ ଡାକିଛନ୍ତି ମୌସୁମୀ ଅଧିବେଶନ । ସ୍ଵଳ୍ପ ସମୟର ଅଧିବେଶନ ବସିବ । ଗୃହରେ କଂଗ୍ରେସ ରାଜ୍ୟବାସୀଙ୍କ କଥା ଉଠାଇବ । ଦଳ ଅଭିଯୋଗ କରିଛି ସରକାରଙ୍କ ନିୟନ୍ତ୍ରଣ ବାହାରେ ପ୍ରଶାସନ । ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା , ସୀମା ଓ ଜଳ ସମସ୍ୟାର ଜବାବ ମାଗିବୁ । ଏନେଇ ଆସନ୍ତା ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ ।
ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଓଡିଶା ଆଗେଇବା ପରିବର୍ତ୍ତେ ପଛେଇ ଯାଇଛି । ଦୁଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିବା ପରେ ଜବାବ ଦେଇଛି ଶାସକ ଦଳ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୌସୁମୀ ସରିଲା ବେଳକୁ ମୌସୁମୀ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି ।