ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ବିଧାନସଭାରେ ପହଞ୍ଚିଛନ୍ତି ସମସ୍ତ ମନ୍ତ୍ରୀ ଓ ବିଧାୟକ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି । ରାଜ୍ୟପାଳଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ସ୍ୱାଗତ କରିଛନ୍ତି । ରାଜ୍ୟପାଳ ଗଣେଷୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ ।

ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ । ଫେବ୍ରୁଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ, ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।

ଆସନ୍ତା ୨୨ ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ । ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ବିଭୂତି ଭୂଷଣ ନାୟକ, ଯଜ୍ଞନାରାୟଣ କର, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ବି ପ୍ରସ୍ତୁତ ଥିବା କହିଛି । ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ରୟାଲଟି ବାବଦକୁ ୫ବର୍ଷରେ ୬୦ହଜାର କୋଟି କାଟିଛି କେନ୍ଦ୍ର । ଏସବୁ ନେଇ ଗୃହରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ ବିଧାନସଭା । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ।

Leave a Reply