ଓ୍ବାକଫ ସଂଶୋଧନ ବିଲକୁ ନେଇ ଗୁଆହାଟିରେ ବୈଠକ, ସାମିଲ ହେଲେନି ବିରୋଧୀ ଦଳ

1 min read

ଗୁଆହାଟି: ୱାକଫ ସଂଶୋଧନ ବିଲ-୨୦୨୪କୁ ନେଇ ଆସାମ ଗୁଆହାଟିରେ ଯୁଗ୍ମ ସଂସଦୀୟ କମିଟି ବୈଠକ । ଏଥିରେ ଅଧ୍ଯକ୍ଷତା କରିଛନ୍ତି ଜେପିସି ଅଧ୍ଯକ୍ଷ ଜଗଦମ୍ବିକା ପାଲ । ଏଥିରେ ସାଂସଦ ଦିଲୀପ ସାଇକିଆ, ବ୍ରିଜ ଲାଲ, ଗୁଲାମ ଅଲି, ଡି.କେ. ଅରୁଣା ପ୍ରମୁଖ ଯୋଗଦେଇଛନ୍ତି । ତେବେ ଜେପିସି ବୈଠକକୁ ବର୍ଜନ କରିଛନ୍ତି ବିରୋଧୀ ଦଳ ।

ଏହି ଜେପିସି ବୈଠକ ଦେଶର ୫ଟି ସହରରେ ଅନୁଷ୍ଠିତ ହେବ । ପ୍ରଥମ ଗୁଆହାଟିରେ ଏହି ବୈଠକ ବସିଛି । ପରେ ଏହା ଭୁବନେଶ୍ବର, କୋଲକାତା, ପାଟନା ଓ ଲକ୍ଷ୍ମୌରେ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୧୪ ଯାଏଁ ବୈଠକ ବସିବ । ୨୫ରୁ ଡିସେମ୍ବର ୨୦ ଯାଏଁ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଜେପିସି ନିଜ ରିପୋର୍ଟ ଦାଖଲ କରିବ ।

ବର୍ତ୍ତମାନ ସୁଦ୍ଧା ଜେପିସି ୨୫ଟି ବୈଠକ କରିସାରିଲାଣି । ବିଲକୁ ନେଇ ବିବାଦର ବଡ଼ କାରଣ ହେଲା ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ସ୍ଥାନ ଦେବା ପ୍ରସଙ୍ଗ । ଲୋକସଭାରେ ଏହି ବିଲକୁ ଧାର୍ମିକ ସ୍ବାଧୀନତା ଓ ସଂଘୀୟ ବ୍ଯବସ୍ଥା ବିରୋଧୀ ବୋଲି କହିଥିଲେ କଂଗ୍ରେସ ସାଂସଦ କେ.ସି. ଭେନୁଗୋପାଲ । ସେହିପରି ଏହାକୁ ବିରୋଧ କରିଥିଲେ ସମାଜବାଦୀ ପାର୍ଟି ଓ ଏଆଇଏମଆଇଏମ ।

ଓ୍ବାକଫ ବିଲରେ କ’ଣ ଅଛି ?

ବିଲରେ ୧୯୯୫ ୱାକଫ ଆଇନର ଧାରା ୪୪କୁ ସଂଶୋଧନ କରିବା ଲାଗି ବ୍ଯବସ୍ଥା ରହିଛି । ଏଥିରେ କେନ୍ଦ୍ରୀୟ ୱାକଫ ପରିଷଦ ଓ ରାଜ୍ଯ ୱାକଫ ବୋର୍ଡରେ ୨ ଜଣ ମହିଳା ରହିବା ଲାଗି କୁହାଯାଇଛି । ସରକାରଙ୍କ ପରାମର୍ଶ ଅନୁସାରେ ୱାକଫ ବୋର୍ଡ ଗ୍ରହଣ କରୁଥିବା ଅର୍ଥକୁ ବିଧବା, ଛାଡପତ୍ର ପାଇଥିବା ମହିଳା, ଅନାଥ ଶିଶୁଙ୍କ କଲ୍ଯାଣ ଲାଗି ବ୍ୟୟ ହେବ । ସେହିପରି ମହିଳାଙ୍କ ଉତ୍ତରାଧିକାରୀତ୍ବର ସୁରକ୍ଷା କରାଯିବ । ବିବାଦର ବଡ଼ କାରଣ ହେଲା ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ସ୍ଥାନ ଦେବା ପ୍ରସଙ୍ଗ ।

ଏହି ବିଲରେ ରହିଛି, ସର୍ଭେ କମିଶନରଙ୍କ ସ୍ଥାନରେ ଜିଲ୍ଲାପାଳମାନେ ଜମିର ସର୍ଭେ କରିବେ । କେନ୍ଦ୍ରୀୟ ୱାକଫ୍ କାଉନସିଲ୍ ୩ ଜଣ ସାଂସଦଙ୍କୁ ସାମିଲ କରିବେ । ୩ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣ ଲୋକସଭାରୁ ହୋଇଥିବା ଦରକାର । କେନ୍ଦ୍ରୀୟ ୱାକଫ୍ କାଉନସିଲରେ ୨ ଜଣ ଅଣ ମୁସଲିମ୍ ସଦସ୍ୟ ରହିବେ । କେନ୍ଦ୍ରୀୟ କାଉନସିଲ୍ ଓ ରାଜ୍ୟ ୱାକଫ୍ ବୋର୍ଡରେ ମହିଳା ସଦସ୍ୟ ରହିବେ । ଏହାସହ ଭୋରା ଓ ଆଗାଖାନୀ ମୁସଲମାନଙ୍କୁ ପରିଚୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ରହିଛି ।