ଆସାମ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ

1 min read

ଆସାମ:  ଆସାମର ନାଗାଓଁ ଜିଲ୍ଲାର ୧୪ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ମୃତ୍ୟୁ । ଶନିବାର ସକାଳ ୪ଟା ସମୟରେ ପୋଲିସ ସିନ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ଆଣିବା ସମୟରେ ପୋଲିସ ହେପାଜତରୁ ଖସି ପଳାଇବା ବେଳେ ସେ ପୋଖରୀକୁ ଡେଇଁ ପଡିଥିଲେ। ଏସପିଙ୍କ ଅନୁଯାୟୀ ସେ ଖସିଯିବାକୁ ଚେଷ୍ଟା କରି ପୋଖରୀକୁ ଡେଇଁପଡିଥିଲେ। ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଖୋଜାଖୋଜି ପରେ ଅଭିଯୁକ୍ତଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ଟ୍ୟୁସନରୁ ଫେରୁଥିବା ବେଳେ ନାବାଳିକାକୁ କରିଥିଲେ ଦୁଷ୍କର୍ମ

୧୪ବର୍ଷର ପୀଡିତା ଜଣକ ସାଇକେଲରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏହି ସମୟରେ ମୋଟରସାଇକେଲ ଆସୁଥିବା ତିନି ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତ ପୋଖରୀ ନିକଟରେ ରାସ୍ତା କଡ଼ରେ ପୀଡିତାଙ୍କୁ ଉଲଗ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ଛାଡି ପଳାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଦେଖି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ପୋଲିସକୁ ସୂଚନା ଦେଇଥିଲେ ।

ତୃତୀୟ ଅଭିଯୁକ୍ତ ଏବେବି ଫେରାର
ପୋଲିସ ବର୍ତ୍ତମାନସୁଦ୍ଧା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଛି। ତୃତୀୟ ଅଭିଯୁକ୍ତର ସନ୍ଧାନ ଏବେବି ଜାରି ରହିଛି । ଏହି ଘଟଣା ପରେ ଆସାମରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୨୩ଅଗଷ୍ଟ ଶୁକ୍ରବାର ଅନେକ ସଂଗଠନ ଏକ ଦିନିଆ ବନ୍ଦର ଆହ୍ବାନ ଦେଇଥିଲେ । ଲୋକମାନେ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ। ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାମାଜିକ ଅନୁଷ୍ଠାନ ତଥା ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି।

ଏହାସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ଲେଖିଛନ୍ତି ଯେ, ଘଟିଥିବା ଘଟଣା ମାନବିକତା ବିରୋଧରେ ଅପରାଧ। ଆମେ କାହାକୁ ରକ୍ଷା କରିବୁ ନାହିଁ ଏବଂ ଅପରାଧୀଙ୍କୁ ନ୍ୟାୟ ଦେବୁ। ମୁଁ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଏବଂ ଯଥାଶୀଘ୍ର ଏପରି ରାକ୍ଷସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି।