ଥମୁନି ଆସାମ ଜଳ ବିପତ୍ତି, ସ୍ଥିତି ସଙ୍ଗୀନ

ଗୌହାଟୀ:  ଥମୁନି ଆସାମ ଜଳ ବିପତ୍ତି । ଭୟଙ୍କର ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡେ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୪୫ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ଶହେରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ଲଗାତାର ବର୍ଷା ଜାରି ରହିଥିବାରୁ ସ୍ଥିତି ସୁଧୁରିବା ନାଁ ଧରୁନି । ଅନେକ ଅଞ୍ଚଳରେ ଘରଗୁଡ଼ିକ ଛାତ ପର୍ଯ୍ୟନ୍ତ ବନ୍ୟାପାଣିରେ ବୁଡ଼ି ରହିଛି ।

ବନ୍ୟା ଯୋଗୁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଅନେକ ଚାଷ ଜମି ଜଳମଗ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୧୭ ଲୋକ ବନ୍ୟାରେ ପ୍ରାଣ ହରାଇଲେଣି । ସବୁଠାରୁ ଅଧିକ ଧ୍ବସ୍ତବିଧ୍ବସ୍ତ ହୋଇଛି ସିଲଚର । ସହରର ପ୍ରାୟ ୮୦ ଭାଗ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟରେ ବ୍ୟାପକ ପାନୀୟ ଜଳ, ଖାଦ୍ୟ ଓ ମେଡିସିନର ଅଭାବ ଦେଖାଦେଇଛି । ହଜାର ହଜାର ଲୋକ ଜଳବନ୍ଦୀ ଥିବାବେଳେ ସେମାନଙ୍କ ଉଦ୍ଧାର ଲାଗି ଏନଡିଆରଏଫ ମୁତୟନ କରାଯାଇଛି । କେତେକ ସ୍ଥାନରେ ଭାରତୀୟ ବାୟୁସେନା ପକ୍ଷରୁ ସହାୟତା ଦିଆଯାଇଛି ।