ଆସିକା : ଉପାନ୍ତରେ ବାଟ ହୁଡିଛି ବିକାଶ । ସରକାରୀ ଯୋଜନାରୁ ବହୂ ଦୂରରେ କୁଟୁନି ଗଣ୍ଡା ଗାଁ । ଏଠି ପଡିନି ବିକାଶର ପାଦ । ଲୋକେ ବିତାଉଛନ୍ତି ଅଭିଶପ୍ତ ଜୀବନ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତର କୁଟୁନି ଗଣ୍ଡା ଗାଁରେ ୩୫ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଛନ୍ତି । ହେଲେ ଗାଁକୁ ଆଜି ଯାଏଁ ରାସ୍ତା ଖଣ୍ଡେ ପହଞ୍ଚିପାରିନାହିଁ । ବଣ ପାହାଡ ଘେରା ପାଦ ଚଲା ରାସ୍ତା ହିଁ ଲୋକଙ୍କ ଏକମାତ୍ର ଭରସା ପାଲଟିଛି । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ । ଜରୁରୀକାଳୀନ ସମୟରେ ଲୋକେ ରୋଗୀଙ୍କୁ ଚାରି ରୁ ପାଞ୍ଚ କିଲୋମିଟର ରାସ୍ତା ଭାର କରି ବୋହି ନେଇଥାନ୍ତି ରୋଗୀ । ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକେ ଅନେକ ଥର ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଲେଣି ହେଲେ ଫଳ ଶୂନ ।
କୁଟୁନି ଗଣ୍ଡା ଗାଁରେ କୋଣସି ସ୍କୁଲ ନାହିଁ । ପାଠପଢା ପାଇଁ ପିଲାଙ୍କୁ ବଣ ପାହାଡ ଘେରା ରାସ୍ତାରେ ୬ କିଲୋମିଟର ଦୂରକୁ ଯିବା ପଡେ । ରାସ୍ତା ନଥିବାରୁ ଛୋଟ ଛୋଟ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି । ସେହିପରି ରାସନ ପାଇଁ ଲୋକେ ମାଇଲ ମାଇଲ ରାସ୍ତା ପାଦରେ ଚାଲି ପଞ୍ଚାୟତରେ ପହଞ୍ଚିଥାନ୍ତି । ସାଆବା ପଞ୍ଚାୟତର କେବଳ କୁଟୁନି ଗଣ୍ଡା ଗାଁକୁ ରାସ୍ତା ନାହିଁ ତାହା ନୁହେଁ । ଅଶୋକ ପଲ୍ଲୀ, ପିଲିପଦର, ଗୋଚ୍ଛାଗୁଡା, ନାକ୍ତିରି ଆଦି ଉପାନ୍ତ ଗାଁର ବିକାଶରେ ରାସ୍ତା ପ୍ରତିବନ୍ଧକ ସାଜିଛି । କୁଟୁନି ଗଣ୍ଡା ବାସୀଙ୍କ ଦୁଃଖ କେବେ ଦୂର ହେବ ? ସେମାନେ ବିକାଶ ଦେଖିବେ ତ ? ତାକୁ ହିଁ ଅପେକ୍ଷା ।

