ଟିଏମସି ନେତ୍ରୀଙ୍କ ଅଡୁଆ, ପ୍ରଥମେ ସାଂସଦ ପଦ ଏବେ ପୁଣି ହାତରୁ ଯିବ ସରକାରୀ ବଙ୍ଗଳା !

ନୂଆଦିଲ୍ଲୀ: ପ୍ରଥମେ ବିବାଦ ପୁଣି ସମସ୍ୟା ପିଛା ଛାଡିବାରେ ନାଁ ନେଉନି। ସାଂସଦ ପଦ ପରେ ଖୂବ ଶୀଘ୍ର ହାତରୁ ଯିବ ସରକାରୀ ବାସଭବନ। ଆମେ କହୁଛୁ ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୈତ୍ରଙ୍କ କଥା। ଦିଲ୍ଲୀରୁ କୋଲକାତା ଚର୍ଚ୍ଚାରେ ସାଂସଦ ମହୁଆ। ନିକଟରେ ଲୋକସଭା ଏଥିକ୍ସ କମିଟିର ସୁପାରିଶ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି।
ବଢିବାରେ ଲାଗିଛି ମହୁଆଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ୩୦ ଦିନ ମଧ୍ୟରେ ହିଁ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ମହୁଆଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗରେ ରିପୋର୍ଟ ଆସିବା ପରେ ଡିସେମ୍ବର ୮ରେ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।୩୦ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ ହାଉସିଂ କମିଟି ତରଫରୁ ନୋଟିସ୍ ଜାରି କରାଯାଇଛି।
ସୂଚନା ଅନୁସାରେ, ସଂସଦରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ଆସିଥିଲା। ଏହା ସହ ରିପୋର୍ଟ ଅନୁଯାୟୀ ମହୁଆ ନିଜ ବ୍ୟବସାୟୀ ବନ୍ଧୁ ହିରାନନ୍ଦାନୀଙ୍କଠାରୁ ଟଙ୍କା ଏବଂ ମୂଲ୍ୟବାନ ଉପହାର ନେଇ ସଂସଦର ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିଲେ । ଅନ୍ୟପଟେ ଲୋକ ସଭାରୁ ବହିଷ୍କୃତ ହେବା ପରେ ମହୁଆ ସୋମବାର ଦିନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ସହ ଅନ୍ୟାୟ ହୋଇଥିବା ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲେ ମହୁଆ। ତାଙ୍କୁ ଗୃହରେ ନିଜ ପକ୍ଷ ମଧ୍ୟ ରଖିବାକୁ ଦିଆଯାଇନଥିବା ବେଳେ ଏଥିକ୍ସ କମିଟି ଗୃହର ନିୟମ ଭଙ୍କ କରିଥିବା କହିଛନ୍ତି ଟିଏମଟି ନେତ୍ରୀ ମହୁଆ ମୈତ୍ର।