୮ ମାସର ଗର୍ଭ କିନ୍ତୁ କରୋନାକୁ ନାହିଁ ଭୟ, ଘରକୁ ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

ଆସିକା: ଗର୍ଭବତୀ ଥିବା ସମୟରେ ଜଣେ ମହିଳା ଅଧିକ ଯତ୍ନବାନ ହୋଇଥାଏ । ଡାକ୍ତର ମଧ୍ୟ କୌଣସି କଠିନ କାମ ନ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି । ନିଜ ସନ୍ତାନକୁ ସୁସ୍ଥରେ ରଖିବା ପାଇଁ କୌଣସି ପ୍ରକାରର ଅବହେଳା କରିନଥାଏ ଜଣେ ମହିଳା । କିନ୍ତୁ ଏଠାରେ ଦୃଶ୍ୟ କିଛି ଅଲଗା କହୁଛି ।

ଆସିକା ସମେଇଗୁଡ଼ା ଗାଁର ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଗୌଡ଼ । ଗର୍ଭରେ ଆଠ ମାସର ସନ୍ତାନ । ଏହି ସମୟରେ ମହିଳାଙ୍କୁ ଘରେ ରହି ଆରାମ କରିବାକୁ ପରାମର୍ଶ ଦିଆଯାଏ । ହେଲେ ସନ୍ଧ୍ୟାଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେ । ଆଉ ଏଥିରେ ପରିବାର ଲୋକ ମଧ୍ୟ ପୂର୍ଣ୍ଣ ସମର୍ଥନ କରନ୍ତି । ସକାଳ ହେଲେ ସବୁ କାମ ସାରି ବାହାରି ପଡ଼ନ୍ତି ଆଉ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ଗତ ତିନି ମାସ ହେଲା ଏହି ସଚେତନତା କାମରେ ଲାଗିଛନ୍ତି ସନ୍ଧ୍ୟା । ଭୂତାଣୁକୁ ଭୟ ନକରି ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ତଥା ସାମାଜିକ ଦୂରତା ମାନିବା ଆଦି ଉପରେ ବୁଝାଉଛନ୍ତି । ଲୋକଙ୍କ ସେବାରେ ଲାଗି ନିଜେ ମଧ୍ୟ ଆତ୍ମସନ୍ତୋଷ ଲାଭ କରୁଥିବା ସେ କହିଛନ୍ତି । ତାଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ଅନ୍ୟ ସହକର୍ମୀ ତଥା ଗ୍ରାମବାସୀ ।

କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଆଗେଇ ଆସିଥିବାରୁ ସନ୍ଧ୍ୟାଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଆଗଧାଡିର ଏହି ଯୋଦ୍ଧାଙ୍କ ସହଯୋଗରେ କରୋନା ନିଶ୍ଚିତ ହାରିବ ଏବଂ ଦେଶ ଜିତିବ ।

 

Leave a Reply