spot_img

Latest Posts

ଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ…

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଏଭଳି ଏକ ଗାଁ ରହିଛି ଯାହାକୁ ଦେଶର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ।  ଖାଲି ଏତିକି ନୁହେଁ ଏହି ଗାଁକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ଆଖ୍ୟା ମଧ୍ୟ ମିଳିଛି। ଗାଁର ନାଁ ହେଉଛି ମାୱଲାଙ୍ଗ । ମେଘାଳୟର ପୂର୍ବ ଖାସି ପାହାଡରେ ରହିଥିବା ଏହି ଗାଁର ସୌନ୍ଦର୍ଯ୍ୟକୁ ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଇପାରେ। ମେଘାଳୟର ମାୱଲାଙ୍ଗ ସବୁଠାରୁ ସ୍ୱଚ୍ଛ ଗାଁ ରୂପେ ପରିଚୟ ପାଇଛି। ୨୦୦୩ରେ ଏହି ଗାଁକୁ ଏସିଆର ଓ ୨୦୦୫ରେ ଭାରତର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ଘୋଷିତ କରାଯାଇଥିଲା । ନିଜର ଏହି ବିଶେଷତା ପାଇଁ ଏହି ଗାଁ ବିଶ୍ୱ ମାନଚିତ୍ରରେ ଏକ ଖାସ ସ୍ଥାନ ସୃଷ୍ଟି କରିପାରିଛି।

ମେଘାଳୟର ରାଜଧାନୀ ସିଲଂ ଏବଂ ଭାରତ ଓ ବାଙ୍ଗଲାଦେଶ ସୀମା ଠାରୁ ପ୍ରାୟ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ଏହି ଗାଁ । ଏହି ଛୋଟ ଗାଁ ଟିରେ ପ୍ରାୟ ୫୦୦ ଲୋକ ବାସ କରନ୍ତି । ଯାହା ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଖାସି ଜନଜାତିର ଲୋକ ଅଛନ୍ତି । ନିଜ ସ୍ୱଛତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଗାଁରେ ପଲିଥିନକୁ ସମ୍ପୂର୍ଣ ରୂପେ ବର୍ଜନ କରାଯାଇଛି । ଏଠାରେ ଅବ୍ୟବହୃତ ଜିନିଷକୁ ଏକ ବଡ଼ ଗାଡ଼ରେ ପକାଇ ଖାତ ପ୍ରସ୍ତୁତ କରାଯାଏ ।

ଗାଁର କୌଣସି ବି ବ୍ୟକ୍ତି ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀ ବ୍ୟବହାର କରିନଥାନ୍ତି। ଡଷ୍ଟବିନଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁ ବାଉଁଶରେ ପ୍ରସ୍ତୁତ ହୋଇଥାଏ। ଏମିତିକି ବଜାରକୁ ଗଲେ ସାଙ୍ଗରେ କପଡ଼ା ବ୍ୟାଗ ନେଇଥାନ୍ତି ଗ୍ରାମବାସୀ।  ଏମିତିକି ଏହି ଗାଁ ଟି କୌଣସି ପର୍ଯ୍ୟଟନ ସ୍ଥଳୀ ରୁ ମଧ୍ୟ କିଛି କମ ନୁହେଁ । ପ୍ରତି ବର୍ଷ ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହି ଗାଁର ଅନ୍ୟତମ ଆକର୍ଷଣ ହେଉଛି ବ୍ରିଜ। ଏଠାକାର ବ୍ରିଜଗୁଡ଼ିକ ପଥର କିମ୍ବା କଂକ୍ରିଟରେ ନିର୍ମାଣ ନକରାଯାଇ ଗଛର ଚେରରେ ପ୍ରସ୍ତୁତ କରାଯାଇଥାଏ। ଆଉ ଏହି ବ୍ରିଜକୁ ବ୍ୟବହାର କରନ୍ତି ଗ୍ରାମବାସୀ। ତେବେ ଏଠାକାର ଜଙ୍‌ଗଲ ଓ ଜଳପ୍ରପାତର ଦୃଶ୍ୟ ମଧ୍ୟ ଖୁବ୍ ଆକର୍ଷଣୀୟ।

ମାୱଲାଙ୍ଗ ବାସୀ କଂକ୍ରିଟ ଘର ବଦଳରେ ବାଉଁଶ ତିଆରି ଘରେ ହିଁ ରହିଥାନ୍ତି । ଖାଲି ଏତିକି ନୁହେଁ ଏଠାରେ ସଡ଼କ ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି। ତେବେ ଏହି ଗାଁର ଅନ୍ୟଏକ ଖାସ୍ କଥା ହେଉଛି, ଗାଁର ପିଲାମାନଙ୍‌କୁ ମା’ଙ୍କ ସରନେମ୍ ମିଳିଥାଏ । ଏପରିକି ମା’ଙ୍କ ସମ୍ପତ୍ତି ଘରର ସାନ ଝିଅକୁ ଦେବାର ପରମ୍ପରା ରହିଛି । ଏଠାରେ ୮୫ ଫୁଟ୍ ଉଚ୍ଚର ଟାୱାର ରହିଛି, ଯେଉଁଠି ଚଢିଲେ ଆପଣଙ୍କୁ ବାଙ୍ଗଲାଦେଶର କିଛି ଅଂଶ ମଧ୍ୟ ଦେଖାଯିବ ।

Latest Posts

Don't Miss