ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ

1 min read

ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ । FIH ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ । କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି । ହକି ଇଣ୍ଡିଆର ସଂପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବିଶ୍ବର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ବକପ ଆୟୋଜନ ହୋଇଥିଲା । ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ବକପ ଆୟୋଜନ ହୋଇଥିଲାବେଳେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ୍ ହୋଇଥିଲା ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରର ଭିତ୍ତିଭୂମି ରହିଛି । ଏଠାକାର ବହୁମୁଖୀ ସୁବିଧା କମନଓ୍ବେଲଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ମଧ୍ୟ ଉପଯୋଗୀ । ବିଶ୍ବକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ଅନ୍ତର୍ଜାତୀୟ ସ୍ତରର ଉଦଘାଟନୀ ଉତ୍ସବରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ । ବିଶ୍ବସ୍ତରୀୟ ଆୟୋଜନ ପାଇଁ ସାରା ବିଶ୍ବର କ୍ରୀଡ଼ାପ୍ରେମୀ ବିଶ୍ବକପରେ ଯୋଗଦେଇଥିଲେ । ଓଲିଲ୍ୟାଣ୍ଡ ସହିତ ଦୁଇ ସହରର ସୌନ୍ଦର୍ଯ୍ୟକରଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଯେଉଁଥିରେ ସମସ୍ତ ଖେଳାଳି ସହତ କ୍ରୀଡ଼ାପ୍ରେମୀ ଖୁସି ପ୍ରକାଶ କରିଥିଲେ । ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି  ।