spot_img

Latest Posts

ଏସିଆ କପ୍ ହକି: ଆଜି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ

ଜାକର୍ତ୍ତା: ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଏସିଆ କପ୍ ହକି । ପ୍ରଥମ ଦିନରେ ୪ଟି ମ୍ୟାଚ ଖେଳାଯିବ । ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବାରୁ ସୋମବାର ମ୍ୟାଚ୍ ସହ ସଂପୂର୍ଣ୍ଣ ପ୍ରତି‌ଯୋଗିତା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ମହତ୍ତ୍ୱ ରଖିବ । ପ୍ରଥମ ଦିନରେ ଖେଳାଯିବାକୁ ଥିବା ଅନ୍ୟ ତିନିଟି ମୁକାବିଲାରେ ମାଲେସିଆ-ଓମାନ, ‌କୋରିଆ-ବାଂଲାଦେଶ ଏବଂ ଜାପାନ-ଇଣ୍ଡୋନେସିଆ ମୁହାଁମୁହିଁ ହେବେ। ବାଂଲାଦେଶର ଢାକାଠାରେ ଆୟୋଜିତ ଗତ ସଂସ୍କରଣର ଫାଇନାଲ୍‌ରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା। ଉଭୟ ଭାରତ ଓ ପାକିସ୍ତାନ ୩ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ସର୍ବାଧିକ ୪ ଥର ବିଜେତା ହୋଇଛି।

ଏସିଆ କପ୍ ହକି ପାଇଁ ହକି ଇଣ୍ଡିଆ ଏକ ଯୁବ ଦଳ ଗଠନ କରିଛି । ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଏସିଆ କପ୍ ହକିରେ ଓଡ଼ିଶାରୁ ମୋଟ ୪ ଜଣ ଖେଳାଳି ଦଳରେ ସାମିଲ ଅଛନ୍ତି । ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ୨୦୨୩ ବିଶ୍ୱକପ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି । ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଦଳ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବେ ।

 

ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ବରିଷ୍ଠ ଖେଳାଳିଭାବେ ଆମେମାନେ ଅଧିକ ଉତ୍ସାହିତ ହୋଇପାରିବୁ ନାହିଁ । କନିଷ୍ଠ ଖେଳାଳିମାନଙ୍କ ପାଇଁ କିନ୍ତୁ ଏହା ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହେବ । ସେମାନେ କିଛିଟା ଚାପରେ ବି ରହିବେ। ତଥାପି ଆମେ ଏହି ମ୍ୟାଚକୁ ଅନ୍ୟସବୁ ମ୍ୟାଚ୍ ଭଳି ଦେଖୁଛୁ । ଉଭୟ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି। ଭଲ ପ୍ରଦର୍ଶନ କଲେ ଆମକୁ ନିଶ୍ଚିତ ଭାବେ ଭଲ ଫଳ ମିଳି ବ। ଆମେ କୌଣସି ଦଳକୁ ହାଲକା ଭାବେ ନେଉନାହୁଁ। ସବୁଦଳ ଏଠାରେ ଭଲ କରି ବିଶ୍ୱକପ୍ ଟିକେଟ ହାସଲ କରିବା ପାଇଁ ଲଢ଼ିବେ। ଗତଥର ବିଜେତା ଭାବେ ଆମ ଉପରେ ସମସ୍ତଙ୍କ ନଜର ରହିବ। ଏଣୁ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରେନ୍ଦ୍ର ଲାକ୍ରା ।

 

Latest Posts

Don't Miss