ଏସିଆ କପ୍ ଫାଇନାଲ୍: ଶ୍ରୀଲଙ୍କା-ଭାରତ ମହାମୁକାବିଲା, ପ୍ରଥମ ଓଭରରେ କୁସଲଙ୍କୁ ଆଉଟ୍ କଲେ ବୁମରାହ

କଲମ୍ବୋ: କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିମୟରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଖେଳ ଆରମ୍ଭ ହୋଇଯାଇଛି । ଖେଳ ଆରମ୍ଭର ନିର୍ଦ୍ଧାରିତ ସମୟ ଅପରାହ୍ନ ୩ ଟା ରଖାଯାଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହୋଇଛି । ବର୍ଷା ଛାଡ଼ିବା ପରେ ଅପରାହ୍ନ ୩ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଛି । ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ମହାମୁକାବିଲ ଚାଲିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା । ତେବେ ପ୍ରଥମ ଓଭରରେ ହିଁ ଶ୍ରୀଲଙ୍କାକୁ ଝଟକା ଲାଗିଛି । ଯଶପ୍ରୀତ ବୁମରାହଙ୍କ ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପରେରା ଆଉଟ୍ ହୋଇଯାଇଛନ୍ତି । ଟାଇଟଲ୍ ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ଭାରତ ଏହି ଟାଇଟଲ୍ ୭ଥର ଜିତିଥିବା ବେଳେ ଶ୍ରୀଲଙ୍କା ୬ଥର ଏହି ଟାଇଟଲ ଜିତିଛି ।

ଗତଥର ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ଏବଂ ୫  ବର୍ଷ ପରେ ଅଷ୍ଟମଥର ଟାଇଟଲ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବ । ସେହିପରି ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଫାଇନାଲ୍ ଜିତି ଟାଇଟଲ୍ ନିଜ ପାଖରେ ରଖିବାକୁ ଉଦ୍ୟମ କରିବ । ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ବାଂଲାଦେଶ ମୁକାବିଲାରେ ଯେଉଁ ପ୍ଲେଇଙ୍ଗ ଇଲେଭେନ ଥିଲେ ସେଥିରେ ପରିବର୍ତ୍ତନ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଛଅଟି ପରିବର୍ତ୍ତନ କରାଯାଇଛି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଛି । ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଶାର୍ଦ୍ଦୁଲ ଠାକୁର, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ମହମ୍ମଦ ସାମୀଙ୍କୁ ବାହାର କରାଯାଇଛି ।