ଦୁବାଇରେ ଆଜି ଦମ ଦେଖାଇବ ଭାରତ, ବିଶ୍ବକପ୍ ପରାଜୟର ନେବ ବଦଲା

1 min read

ଆବୁଧାବି: ଦୁବାଇରେ ଆଜି ଦମ ଦେଖାଇବ ଭାରତ । ମଇଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ । ବିଶ୍ବକପ୍ ପରାଜୟର ବଦଲା ନେବ ମେନ ଇନ୍ ବ୍ଲୁ । ପାକିସ୍ତାନ ବିପକ୍ଷରେ ୧୦୦ତମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳିବେ ବିରାଟ କୋହଲି  । ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ପାକିସ୍ତାନକୁ ଧୁଳି ଚଟେଇବା ଆଶା  । ଦୁଇ ଫାଷ୍ଟ ବୋଲରଙ୍କ ବିନା ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ଭାରତ ପାକିସ୍ତାନ । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାହ ଓ ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ମ୍ୟାଚ୍ ଖେଳିବେ ନାହିଁ ।

ଏପଟେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି ।  ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଫର୍ମକୁ ନେଇ ସଂଘର୍ଷ କରୁଥିବା କୋହଲିଙ୍କ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ । ପାକିସ୍ତାନ ବିପକ୍ଷରେ ବିରାଟଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ପାକିସ୍ତାନ ବିପକ୍ଷରେ କୋହଲି ୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ କରିଛନ୍ତି ।

ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ଥର ସଂଘର୍ଷ ହୋଇଛି  । ଏଥିରେ ଆଠ ଥର ଭାରତ ପାକିସ୍ତାନକୁ ପରାଜିତ କରିବାରେ ସକ୍ଷମ ହୋଇଛି  । ପାକିସ୍ତାନ ଏପର୍ଯ୍ୟନ୍ତ ମାତ୍ର ୫ଟି ମ୍ୟାଚ୍ ଜିତିଛି  । ଗତବର୍ଷ ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା  । ତେଣୁ ଏଥର ଭାରତ ବଦଲା ନେବ ବୋଲି ଆଶା କରାଯାଉଛି  । ଦୀର୍ଘ ୬ ବର୍ଷ ପରେ ଏସିଆର ସର୍ବବୃହତ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଉଥିବାରୁ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ସହ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

ଏଥର ୬ଟି ଅଂଶଗ୍ରହଣକାରୀ ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏ’ରେ ଭାରତ ଓ ପାକିସ୍ତାନ ସହ ହଂକଂ ସ୍ଥାନ ପାଇଛି । ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନକୁ ସ୍ଥାନ ମିଳିଛି । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ଥରେ ଲେଖାଏଁ ମ୍ୟାଚ୍ ଖେଳିବେ  ।

ଏସିଆ କପ୍ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯାଉଛି । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ପରେ ୨୦୧୬ରେ ଟି-୨୦ ବିଶ୍ବକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ୨୦୧୮ରେ ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା  । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଉଛି  ।