ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନର ହେବ ସ୍ଥାୟୀ ସମାଧାନ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍ । କରିବେ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ । ଏହାସହ ବାହାର କରିବେ ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ । ଏଥିଲାଗି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି ।

ବିଶେଷଜ୍ଞ କମିଟିର ଗସ୍ତ ନେଇ ମନ୍ଦିର ଭିତରେ ଓ ବାହାରେ ପୂର୍ବରୁ ଭାରା ବନ୍ଧା ସରିଛି । ନାଟମଣ୍ଡପର ଗରୁଡ଼ ସ୍ତମ୍ଭ ପାର୍ଶ୍ଵ, କଲମ ତଥା ଛାତକୁ ଧରି ରଖିଥିବା ବିମରେ ୨୦୧୮ ମସିହା ଜୁନ ମାସରୁ ଫାଟ ଦେଖାଦେଇଛି । ଏହି ଫାଟକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ନିୟୋଜିତ କୋର୍‌ କମିଟି ଠାବ କରିଥିଲା । ସେହିଦିନରୁ ଫାଟ ମେଲୁଛି କି ନାହିଁ, ଫାଟର କିଭଳି ମରାମତି ହେବ ତାହାର କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ତେବେ ଫାଟ ସେହିଦିନରୁ ଅଧିକ ମେଲୁଛି ନାଁ ନାହିଁ, ତାହାର ଯାଞ୍ଚ ପାଇଁ ସେହି ସ୍ଥାନରେ ଏକ କ୍ରାକ୍ ମିଟର ଲଗାଯାଇଥିଲା । ଏହି ମିଟର ଅନଲାଇନରେ ଡାଟା ସଂଗ୍ରହ କରୁଥିବା ବେଳେ ଏହାର ଯାଞ୍ଚ କରାଯିବ । ବର୍ତ୍ତମାନ ସୁଦ୍ଧା କ୍ରାକ୍ ମିଟର ଦ୍ଵାରା ବିମ୍ ଫାଟର ସ୍ଥିତି କ’ଣ ରହିଛି ତାର ତର୍ଜମା ହୋଇପାରିନି ।