ଶ୍ରୀମନ୍ଦିର ଉନ୍ନତି କାର୍ଯ୍ୟରେ ବାଧକ ସାଜିଛି ଏଏସଆଇ

ଭୁବନେଶ୍ବର: ଏଏସଆଇର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ପୁରୀ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ ସୁଦ୍ଧା କାର୍ଯ୍ୟରେ ଅବହେଳା ନେଇ ଉଠିଛି ଅଭିଯୋଗ । ରକ୍ଷଣାବେକ୍ଷଣ ପାଇଁ ଦୀର୍ଘ 30 ବର୍ଷ ହେବ କୋଟି କୋଟି ଟଙ୍କା ଆସୁଥିଲେ ସୁଦ୍ଧା ଏହାର ସୁବିନିଯୋଗ କରାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ଉନ୍ନତି ମୂଳକ ପ୍ରକଳ୍ପ ନିର୍ମାଣରେ ଓଡିଶାରେ ନିଯୁକ୍ତ ଏଏସଆଇ ଅଧିକାରୀଙ୍କ ହସ୍ତକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଶ୍ରୀମନ୍ଦିର ଉନ୍ନତି କାର୍ଯ୍ୟରେ ବାଧକ ସାଜିଛି ଏଏସଆଇ । ରକ୍ଷଣାବେକ୍ଷଣ ନେଇ ଆସୁଥିବା ଟଙ୍କା ବିନିଯୋଗ ହୋଇ ପାରୁ ନଥିବା ଅଭିଯୋଗ । ଦୀର୍ଘ ୩୦ ବର୍ଷ ହେଲେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି ଏଏସଆଇ । ହେଲେ ସିଂହଦ୍ବାର ମୁଖଶାଳାରେ ଦଶାବତାର ମୂର୍ତ୍ତି କଥା ହେଉ ବା ବେଢାରେ ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ରକ୍ଷଣବେକ୍ଷଣ, ଏସବୁ କ୍ଷେତ୍ରରେ ଏଏସଆଇର ଅବହେଳା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି । ଯେଉଁ କ୍ଷେତ୍ରରେ ଏଏସଆଇର ଆବଶ୍ୟକତା ରହିଛି ସେସବୁ ନକରି ଅଯଥାରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ଓଡିଶାରେ କାର୍ଯ୍ୟରତ ଅଧିକାରୀ ।

ଦୀର୍ଘବର୍ଷ ଧରି ଶ୍ରୀମନ୍ଦିର ଉନ୍ନତିକରଣ ନାମରେ କେବଳ ଚୂନ ଛଡାଉଛି ଏଏସଆଇ । ନିକଟରେ ଏଏସଆଇ ଡିଜି ବିଦ୍ୟାବତୀ ଆସି କାର୍ଯ୍ୟ ଦେଖି ପ୍ରଶଂସା କରିବା ସହ ନିର୍ମାଣକୁ ତ୍ବରାନ୍ବିତ କରିବାକୁ କହିଥିଲେ । ହେଲେ ଓଡିଶା ଦାୟିତ୍ବରେ ଥିବା ଏଏସଆଇ ଅଧିକାରୀ ଅରୁଣ ମଲ୍ଲିକ ଏଭଳି ବିଭ୍ରାନ୍ତିକର ମତ କ’ଣ ପାଇଁ ଦେଉଛନ୍ତି ତା’ର ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ପୁରୀବାସୀ । କଳାପାହାଡ଼ ଭଳି ଉନ୍ନତିରେ ବାଧକ ସାଜୁଥିବା ଏହି ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଶ୍ରୀମନ୍ଦିର ସୁରକ୍ଷା କରିଡର ନେଇ ପ୍ରଶାସନିକ ସ୍ପଷ୍ଟୀକରଣ ଦିଆଯାଇଥିବା ସତ୍ତ୍ବେ ଏଏସଆଇର ବରିଷ୍ଠ ଅଧିକାରୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଏବେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ସମ୍ପର୍କରେ ଏଏସଆଇର ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲୀକଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।