ମାନସିକ ଅବସାଦର ଶିକାର ଆକ୍ରମଣକାରୀ ଏଏସଆଇ ଗୋପାଳକୃଷ୍ଣ !

ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆକ୍ରମଣ କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପରୁ । ସେ ମାନସିକ ଅବସାଦର ଶିକାର । ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପତ୍ନୀ ଜୟନ୍ତି ଦାସ । ନନ୍ଦିଘୋଷ ଟିଭିକୁ ଦେଇଥିବା ସାକ୍ଷାତକାରରେ ଗୋପାଳକୃଷ୍ଣଙ୍କ ପତ୍ନୀ କହିଛନ୍ତି ଯେ, ଘଟଣା ବାବଦରେ ସେ ଟିଭିରୁ ଜାଣିଥିଲେ । ତାଙ୍କ ସମ୍ପର୍କୀୟ ତାଙ୍କୁ ଟିଭିରେ ଖବର ଚାଲିଥିବା କଥା କହିଥିଲେ । ଏହାପରେ ସେ ଟିଭି ଦେଖି ଘଟଣା ଜାଣିଥିଲେ ।

ପତ୍ନୀ କହିଛନ୍ତି ଯେ, କାହିଁକି ଏଭଳି ଘଟଣା ଘଟିଲା ଓ ଘଟଣା ପଛର କାରଣ କ’ଣ ସେ ଜାଣି ନାହାନ୍ତି । ଘରେ କେବେ ମଧ୍ୟ ସେ ନବ ଦାସଙ୍କ ବାବଦରେ କଥା ହୋଇନାହାନ୍ତି । ଆକ୍ରମଣ ଘଟାଇବା ପୂର୍ବରୁ ପୂର୍ବାହ୍ନ ୧୧ଟା ବେଳେ ଗୋପାଳକୃଷ୍ଣ ଝିଅ ସହିତ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ ବୋଲି ପତ୍ନୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସ୍ବାମୀଙ୍କର କୌଣସି ଶତ୍ରୁତା ନଥିଲା ।

ବ୍ରହ୍ମପୁରରେ କନଷ୍ଟେବଲ ଭାବେ ଥିବା ଗୋପାଳକୃଷ୍ଣ କିଛିଦିନ ତଳେ ପ୍ରମୋଶନ ପାଇ ଝାରସୁଗୁଡା ବଦଳି ହୋଇଥିଲେ । ପତ୍ନୀଙ୍କ ଅନୁସାରେ ସେ ମାନସିକ ଅବସାଦର ଶିକାର । ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା । ସେ ନିୟମିତ ଔଷଧ ଖାଉଥିଲେ ବୋଲି ପତ୍ନୀ ଜୟନ୍ତି ଦାସ କହିଛନ୍ତି । ମାନସିକ ଅବସାଦ ବଢିଗଲେ ଗୋପାଳକୃଷ୍ଣ ଅଧିକ ଖାଉଥିଲେ, ସପିଙ୍ଗ କରୁଥିଲେ ବୋଲି ପତ୍ନୀ ଜୟନ୍ତି ଦାସ କହିଛନ୍ତି ।