ଚାରିଟା କାର ଓ ହେଲିକପ୍ଟରରେ ଟଙ୍କା ନେଇ ଦେଶରୁ ପଳାୟନ କରିଥିଲେ ଗନି

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଗନି ରବିବାର ଚାରୋଟି କାର୍ ଏବଂ ନଗଦ ଟଙ୍କା ଭର୍ତ୍ତି ହେଲିକପ୍ଟର ସହିତ ରାଜଧାନୀ କାବୁଲରୁ ପଳାୟନ କରିଛନ୍ତି । ଋଷ ଦୂତାବାସ ପ୍ରବକ୍ତା ନିକିତା ଇସ୍‌ଚୋକେଙ୍କ କହିବା ହେଲା ଯେ, ଚାରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା । ସେ ଆହୁରି କିଛି ନଗଦ ଟଙ୍କା ଅନ୍ୟ ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁତକ ଟଙ୍କା ଭର୍ତ୍ତି ହୋଇପାରିନଥିଲା । ଏଣୁ କିଛି ଟଙ୍କା ରୋଡ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଋଷ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

କାବୁଲକୁ ନିଜ କବ୍‌ଜାକୁ ନେଇ ସାରିଛି ଆଫଗାନିସ୍ତାନ । ଆଉ ଏହା ପରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଯାଇଛି । ଏବେ ଗାନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ମିଳିଥିବା ସୂଚନା ମୁତାବକ ଗାନିଙ୍କ ହେଲିକପ୍ଟରକୁ ତାଜକିସ୍ତାନରେ ଅବତରଣ ଅନୁମତି ନ ମିଳିବା ପରେ  ଏବେ ସେ ଓମାନ୍‌ରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସେ ଯୁକ୍ତ ରାଷ୍ଟ୍ର ଆମେରିକା ଯିବା ନେଇ ପ୍ରସ୍ତୁତ ହେଉଛନ୍ତି ।

ରକ୍ତପାତକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଥିବା ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ଅନ୍ୟପକ୍ଷରେ କାବୁଲକୁ ନିଜ ଅକ୍ତଆରକୁ ନେବା ପରେ ତାଲିବାନୀ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା ।

ତେବେ ଆଫଗାନିସ୍ତାନ ରାଜଧାନୀକୁ କବ୍‌ଜାକୁ ନେବା ପରେ ଏବେ ସବୁଠି ଆତଙ୍କର ମହୋଲ ଦେଖିବାକୁ ମିଳିଛି । ବଡ଼ ବଡ଼ ଛକମାନଙ୍କରେ ତାଲିବାନୀ ସୈନ୍ୟ ମୁତୟନ ରହିଛନ୍ତି । ଯାତାୟତ କରୁଥିବା ଯାନବାହନକୁ ତନଖି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି ।  ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ: ବିମାନରୁ ଖସି ପଡ଼ିଲେ ୩ଜଣ, ଦେଖନ୍ତୁ ଭଡିଓ

Leave a Reply