ଖଡଗେଙ୍କୁ ସମର୍ଥନ ଦେବେ ଗେହଲଟ, ବିଧାୟକଙ୍କ ବିରୋଧରେ ବର୍ଷିଲେ

1 min read

ଜୟପୁର: ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥନ । ଖଡଗେ ଜଣେ ଅଭିଜ୍ଞ ନେତା ହୋଇଥିବାବେଳେ ଶଶୀ ଥରୁର ଜଣେ ଏଲିଟ ବର୍ଗର ନେତା ବୋଲି କହିଛନ୍ତି ଗେହଲଟ । ସେପଟେ ଗେହଲଟ ଦେଇଛନ୍ତି ବିସ୍ଫୋରକ ବୟାନ ।

ଦଳର କେତେକ  ବିଧାୟକ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଓ ଅନ୍ୟ କେତେକ ନେତାଙ୍କ ସହ ବସିଥିବା ନେଇ ସୂଚନା ଦେଇଛନ୍ତି ଗେହଲଟ । ରାଜସ୍ଥାନ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଯୋଜନା କରୁଥିବା ଅଭିଯୋଗ ଉଠୁଥିବାବେଳେ ଗେହଲଟଙ୍କ ବୟାନ ଏହି ଅଭିଯୋଗକୁ ସତ ପ୍ରମାଣିତ କରିଛି ।

ଜୟପୁରରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗେହଲଟ କହିଛନ୍ତି- ଏଆଇସିସି ସଭାପତି ପଦ ଲାଗି କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ଧାଡିକିଆ ପ୍ରସ୍ତାବ ଗୃହୀତ ପାରିଲା ନାହିଁ । ଏହି କାରଣରୁ ତାଙ୍କୁ କ୍ଷମା ମାଗିବାକୁ ପଡିଲା । ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଦୂର ଲାଗି ସେ ପିସିସି ମୁଖ୍ୟ ଗୋବିନ୍ଦ ଦୋତସାରାଙ୍କୁ ପଠାଇଥିଲେ । ମାତ୍ର ସେ ବିଧାୟକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

ଅଶୋକ ଗେହଲଟଙ୍କ ଏଆଇସିସି ସଭାପତି ପ୍ରାର୍ଥିତ୍ବ ପ୍ରସଙ୍ଗରେ ୮୨ରୁ ଅଧିକ ବିଧାୟକ ସମୂହ ଇସ୍ତଫା ଦେବାକୁ ଧମକ ଦେଇଥିଲେ ଏବଂ ସଚିନ ପାଇଲଟଙ୍କୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗରେ ବିଦ୍ରୋହ ଘୋଷଣା କରିଥିଲେ । ଏହାକୁ ନେଇ ହାଇକମାଣ୍ଡ କ୍ଷୁବ୍ଧ ହୋଇଥିଲେ ।

ଗତକାଲି ଗେହଲଟ କହିଥିଲେ-  ସରକାରର ଅବଧି ଶେଷ ହେବା ଯାଏ ସେ ହିଁ ମୁଖ୍ୟମନ୍ତ୍ରୀ ରହିବେ ।