ରାଜସ୍ଥାନ ସଙ୍କଟ: ଗେହଲଟ ବଞ୍ଚିଗଲେ ହେଲେ ୩ ନିକଟତର ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନ ଚିଟ୍ ମିଳିଯାଇଛି । କୁହାଯାଉଛି ଯେ, ପର୍ଯ୍ୟବେକ୍ଷକମାନେ ଯେଉଁ ରିପୋର୍ଟ ସୋନିଆ ଗାନ୍ଧିଙ୍କୁ ଦେଇଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲୀନ ଚିଟ୍ ଦିଆଯାଇଛି । ଏଥିସହିତ କିଛି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗେହଲଟଙ୍କ ଅତି ନିକଟତର ଦୁଇ ମନ୍ତ୍ରୀ ଏବଂ ଜଣେ ଅଧ୍ୟକ୍ଷଙ୍କୁ ଅନୁଶାସନ ଭାଙ୍ଗିବା କାରଣରୁ ନୋଟିସ୍ ଜାରି କରାଯାଇଛି । ତିନି ନେତା ମହେଶ ଯୋଶୀ, ଧର୍ମେନ୍ଦ୍ର ରାଠୋର, ଶାନ୍ତି ଧାରିୱାଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ସୂଚନା ମୁତାବିକ, ପର୍ଯ୍ୟବେକ୍ଷକ ଭାବେ ଜୟପୁର ଯାଇଥିବା ଅଜୟ ମାକନ ଏବଂ ମଲ୍ଲିକାର୍ଜୁନ ଖଡଗେ ଯେଉଁ ରିପୋର୍ଟ ସୋନିଆ ଗାନ୍ଧିଙ୍କୁ ଦେଇଛନ୍ତି ସେହି ରିପୋର୍ଟରେ ଶାନ୍ତିଲାଲ ଧାରିୱାଲ ଏବଂ ପ୍ରତାପ ସିଂହ ଖାଚରିୟାବାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ସୁପାରିଶରେ ଧର୍ମେନ୍ଦ୍ର ରାଠୋର ସମେତ କିଛି ଅନ୍ୟ ନେତାଙ୍କ ନାଁ ମଧ୍ୟ ସାମିଲ ଥାଇ ପାରେ । ପର୍ଯ୍ୟବେକ୍ଷକମାନେ ନିଜ ୯ ପୃଷ୍ଟାର ରିପୋର୍ଟରେ କହିଛନ୍ତି, ରବିବାର ରାଜସ୍ଥାନରେ ଯେଉଁ ରାଜନୈତିକ ଘଟଣାକ୍ରମ ହୋଇଥିଲା, ସେଥିରେ ଅଶୋକ ଗେହଲଟଙ୍କ କୌଣସି ଭୂମିକା ନଥିଲା ।

ଏହାର ଅର୍ଥ ଯେ ଅନେକ ବିଧାୟକ ନିଜେ ସିପି ଯୋଶୀଙ୍କ ପାଖକୁ ଯାଇଥିଲେ ଏବଂ ସେଠାକୁ ଯାଇ ନିଜର ଇସ୍ତଫା ଦେଇ ଦେଇଥିଲେ । କେବଳ ଏତିକି ନୁହେଁ, ଶାନ୍ତି ଦାରିୱାଲଙ୍କ ଘରେ ହୋଇଥିବା ବିଧାୟକ ଦଳ ବୈଠକରେ ମଧ୍ୟ ଗେହଲଟଙ୍କ କୌଣସି ଭୂମିକା ନଥିଲା । ଏହି ରୋପୋର୍ଟ ବୈଠକ ଡକାଇଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । କ୍ଲିନଚିଟ୍ ସତ୍ତ୍ୱେ ଏବେ ବି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଅଶୋକ ଗେହଲଟ ନାମାଙ୍କନ ଭରିବାକୁ ନେଇ ସସ୍ପେନ୍ସ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ଗେହଲଟଙ୍କୁ ଦଳ ହାଇକମାଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ କହିବା ପରେ ଏହି ସବୁ ସମସ୍ୟା ଉପୁଜିଥିଲା । ଯଦି ଅଶୋକ ଗେହଲଟ ଦଳ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହେବେ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପଡ଼ିବ ବୋଲି କୁହାଯାଇଥିଲା । ନିଜେ ଅଶୋକ ଗେହଲଟ ଏହି ନିଷ୍ପତ୍ତିକୁ ବିରୋଧ କରିନଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ । ଏବଂ ଶୀର୍ଷ ନେତୃତ୍ୱ ସଚିନ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଜନା କରୁଥିବା ବେଳେ ବିଧାୟକମାନେ ବିଦ୍ରୋହ କରିଦେଇଥିଲେ । ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଭେଟିନଥିଲେ କି ଦଳୀୟ ଅନୁଶାସନକୁ ମାନିନଥିଲେ ।