‘ଖେରି’ ଦୁର୍ଘଟଣା ନୁହେଁ, ସୁଚିନ୍ତିତ ‘ହତ୍ୟା’ ଷଡଯନ୍ତ୍ର
ନୂଆଦିଲ୍ଲୀ: ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଇ ଚାଷୀଙ୍କୁ ହତ୍ୟା କରିବା ମାମଲାରେ ବଡ଼ ଖୁଲାସା । ଏହା ଦୁର୍ଘଟଣା ନୁହେଁ ସୁଚିନ୍ତିତ ଷଡଯନ୍ତ୍ର । କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ଏସଆଇଟି ପକ୍ଷରୁ ରିପୋର୍ଟରେ ଅଭିଯୁକ୍ତ ୧୩ ଜଣଙ୍କ ବିରୋଧରେ ଦଣ୍ଡଯୁକ୍ତ ମାମଲା ଲଗାଇବା ଲାଗି ସୁପାରିସ କରାଯାଇଛି । ଏହି ଘଟଣା ସୁଚିନ୍ତିତ ଥିଲା ଏବଂ ମନମାନିର ଏକ ନିଦର୍ଶନ ଥିଲା ବୋଲି କୁହାଯାଇଛି । ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ଏଥିରେ ସୁପାରିସ କରାଯାଇଛି । ଏହା ସହ ଧାରା ୨୭୯, ୩୩୮, ୩୦୪(କ)କୁ ହଟାଇ ନୂଆ ଧାରା ଅନୁସାରେ ମାମଲା ରୁଜୁ ଲାଗି ସୁପାରିସ କରାଯାଇଛି ।
ଖେରି ମାମଲାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ପାଇଁ ପୁଣି ଏକ ବଡ଼ ସମସ୍ୟା ଛିଡ଼ା ହେବାକୁ ଯାଉଛି । ଖେରି ମାମଲା ହିଁ ଚାଷୀ ଆନ୍ଦୋଳନର ରୂପ ବଦଳାଇ ଦେଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ପାଖରେ ମୁଣ୍ଡ ନୂଆଁଇବାକୁ ପଡ଼ିଥିଲା ଓ ୩ କଳା ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।
ଏପଟେ ତଦନ୍ତକାରୀ ଟିମର ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ହାଲ୍ଲାବୋଲ ଡାକରା ଦେଇଛନ୍ତି । ମାମଲାକୁ ନେଇ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ବାଦି କରି ଆସୁଥିବା ବିରୋଧୀ ଦଳ ସେମାନଙ୍କ ଦାବିକୁ ଆହୁରି ଶାଣିତ କରିଛନ୍ତି ।
କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ‘ଏହା ତ ହେବାର ଥିଲା ।ପୂର୍ବାରୁ ଆମେ ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲୁ । ଏମିତି ପ୍ରଥମ ଥର ହୋଇଛି କୌଣସି ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ମାରିବାକୁ ଷଡଯନ୍ତ୍ର ରଚିଛନ୍ତି ।’
କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଆଗକୁ କହିଛନ୍ତି, ‘ଯଦି ସାମାନ୍ୟତମ ନୈତିକତା ଅଛି ତ ମନ୍ତ୍ରୀ ଇସ୍ତଫା ଦିଆନ୍ତୁ ।ହେଲେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବେ ନାହିଁ, କାରଣ ୩୦୩ ଆସନରେ ଜିତି ମୋଦି ସରକାରଙ୍କ ଅହଂକାର ବଢ଼ିଯାଇଛି ।’
ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ମଧ୍ୟ ସ୍ବତନ୍ତ୍ର ତଦନ୍ତକାରୀ ଟିମର ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କୁ ମୋଦି ସରକାର ତରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଏସୟୁବି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟଇଥିଲା । ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ଏବେ ତଦନ୍ତକାରୀ ଟିମଙ୍କ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବା ମୋଦି ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଲା ।