ଆସେସ୍ ସିରିଜ: ଗାବା ଟେଷ୍ଟକୁ ୯ ଓ୍ୱିକେଟରେ ନିଜ ନାମରେ କଲା ଅଷ୍ଟ୍ରେଲିଆ

1 min read

ଗାବା: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇସାରିଛି ଆସେସ୍ ଟେଷ୍ଟ ସିରିଜ୍ । ଆସେସର ପ୍ରଥମ ମ୍ୟାଚ ବ୍ରିସବେନର ଗାବାରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଧୂଳି ଚଟାଇଛି ଅଷ୍ଟ୍ରେଲିଆ । ଉଭୟ ବ୍ୟାଟିଂ, ବୋଲିଂରେ ଇଂଲଣ୍ଡକୁ ମାତ୍ ଦେଇଥିଲା କଙ୍ଗାରୁ। ଯାହା ଫଳରେ ପ୍ରଥମ ମ୍ୟାଚକୁ ୯ ଓ୍ୱିକେଟରେ ନିଜ ନାମରେ କରିଛି ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚରେ ବିଜୟ ସହ ଏହି ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା ଇଂଲଣ୍ଡ । ଟସ୍ ଜିତି ବ୍ୟାଟିଂ କରୁଥିବା ଇଂଲଣ୍ଡ ମାତ୍ର ୧୪୭ ରନରେ ଅଲଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ତରଫରୁ କ୍ୟାପଟେନ ପ୍ୟାଟ କମିନ୍ସ ୫ ଓ୍ୱିକେଟ ହାସଲ କରିଥିଲେ । ୧୪୭ ରନରେ ଇଂଲଣ୍ଡକୁ ଅଲଆଉଟ କରିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିଲେ । ଡେଭିଡ ଓ୍ୱାର୍ଣ୍ଣର ଓ ଟ୍ରାଭିସ୍ ହେଡଙ୍କ ବ୍ୟାଟିଂ ଆଗରେ ହାର ମାନିଥିଲେ ଇଂଲଣ୍ଡ ବୋଲର । ଟ୍ରାଭିସ୍ ହେଡଙ୍କ ୧୫୨ ରନ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କ ୯୪ ରନ ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୨୫ ରନର ବଡ଼ ସ୍କୋର କରିଥିଲେ । ଯାହା ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୭୮ ରନର ଲିଡ୍ ନେଇଥିଲା ।

ପ୍ରଥମ ଇନିଂସରେ ୧୪୭ ରନରେ ଅଲଆଉଟ ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲା ଇଂଲଣ୍ଡ । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟ୍ ଏବଂ ଡେଭିଡ ମଲାନ ପାରି ସମ୍ଭାଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ତୃତୀୟ ଓ୍ୱିକେଟ ପାଇଁ ୧୬୨ ରନ କରିଥିଲେ । କିନ୍ତୁ କଙ୍ଗାରୁ ସ୍ପିନର ନାଥନ ଲାୟନଙ୍କ ଆଗରେ ତିଷ୍ଠି ପାରିନଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ଯାହା ଫଳରେ ଇଂଲଣ୍ଡ ମାତ୍ର ୨୯୭ ରନରେ ଅଲଆଉଟ ହୋଇଥିଲା । ୨୯୭ ରନରେ ଅଲଆଉଟ ହେବା ଫଳରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ଆବଶ୍ୟକ ଥିଲା ମାତ୍ର ୨୦ ରନ । ଏହି ଲକ୍ଷ୍ୟକୁ କଙ୍ଗାରୁ ୯ ଓ୍ୱିକେଟରେ ହାସଲ କରିଥିଲା । ଏହି ମ୍ୟାଚରେ ବିଜୟ ସହ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ୧୫୨ ରନର ଦମଦାର ଇନିଂସ ଫଳରେ ଟ୍ରାଭିସ୍ ହେଡଙ୍କୁ ମିଳିଛି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ।

Leave a Reply