ଚିକିତ୍ସା ବାହାନାରେ ଗର୍ଭବତୀଙ୍କୁ ନିଜ ସ୍ବାମୀଙ୍କ ଦ୍ବାରା ବଳାତ୍କାର କରାଇ ଭିଡିଓ ଉତ୍ତୋଳନ କଲେ ଆଶାକର୍ମୀ

ନବରଙ୍ଗପୁର: ଆଶାକର୍ମୀଙ୍କ ଡାର୍ଟି ମାଇଣ୍ଡ । ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ନିଜ ସ୍ବାମୀଙ୍କ ଦ୍ବାରା ବଳାତ୍କାର କରାଇ ଉତ୍ତୋଳନ କଲେ ଭିଡ଼ିଓ । ସୁଟିଂ ପରେ ସୋସିଆଲ ମିଡ଼ିଆରେ ଭିଡ଼ିଓକୁ ଭାଇରାଲ କଲେ । ଏମିତି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳରୁ । ଘଟଣା ନେଇ ମହିଳାଙ୍କ ପରିବାର ପକ୍ଷରୁ ଖାତିଗୁଡା ଥାନାରେ ଏତଲା ପରେ ତନାଘନା ଆରମ୍ଭ କରିଛି ପୋଲିସ୍ ।

ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଆଶାକର୍ମୀ । ପୂର୍ବରୁ ଛକରେ ଆଶା କର୍ମୀଙ୍କ ସ୍ୱାମୀ ଅପେକ୍ଷା କରିଥିଲେ । ଉଭୟେ ମିଶି ମହିଳାଙ୍କୁ ମେଡ଼ିକାଲ ନେଇଥିଲେ । କିନ୍ତୁ ମେଡ଼ିକାଲ ନ ନେଇ ମହିଳାଙ୍କୁ ସହରର ଅନ୍ୟ ଏକ ଘରକୁ ନେଇଥିଲେ । ସେଠାରେ ଆଶା କର୍ମୀଙ୍କ ସ୍ୱାମୀ ମହିଳାଙ୍କୁ ବଳାତ୍କାର କରିଥିଲେ । ଆଶାକର୍ମୀ ବଳାତ୍କାର ସମୟର ଭିଡିଓ ଉତ୍ତୋଳନ କରିଥିଲେ ।

ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । କିଛିଦିନ ନିରବ ରହିବା ପରେ ମହିଳା ଜଣକ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ପରିବାର ଲୋକେ ଖାତିଗୁଡା ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ପୂର୍ବରୁ କୌଣସି ଶତ୍ରୁତା ନଥିଲେ ସୁଦ୍ଧା ଆଶାକର୍ମୀ ଏପରି କାହିଁକି କରିଥିଲେ ସେନେଇ ଉଠିଛି ପ୍ରଶ୍ନ ।