ଆଶା ପାରେଖଙ୍କୁ ମିଳିବ ଦାଦାସାହେବ୍ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ୮୦ ବର୍ଷରେ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ସେଭେଣ୍ଟିଜ୍ ନାୟିକା । ଚଳଚ୍ଚିତ୍ର ଜଗତରେ ଅତୁଳନୀୟ ଅବଦାନ ପାଇଁ ଆଶା ପାରେଖଙ୍କୁ ମିଳିବ ଦାଦାସାହେବ୍ ଫାଲକେ ପୁରସ୍କାର । ବଲିଉଡର ପୁରୁଖା ଓ ଲୋକପ୍ରୀୟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନୀୟ ପୁରସ୍କାର । ୩୦ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ସରକାର ତାଙ୍କୁ ସମ୍ମାନିତ କରିବେ । ୨୦୨୨ ପାଇଁ ଦେଶର ସର୍ବୋଚ୍ଚ ଫିଲ୍ମ ପୁରସ୍କାରରେ ସମ୍ମାନିତ ହେବେ ଏହି କାଣ୍ଟା ଲଗା ଫେମ୍ ପାରେଖ୍ ।

୧୯୭୧ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୯୨ରେ ସମ୍ମାନନୀୟ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ଆଶା । ସେହିପରି ୨୦୦୨ରେ ତାଙ୍କୁ ମିଳିଥିଲା ଫିଲ୍ମଫେୟାର ଲାଇପ୍ଟାଇମ ଆଚିଭମେଣ୍ଟ ସମ୍ମାନ । ୨ ଅକ୍ଟୋବର ୧୯୪୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଆଶା ପାରେଖ । ସିକ୍ସଟିଜ୍ ଓ ସେଭେଣ୍ଟିଜରେ ଆଶା ପାରେଖଙ୍କ ଜଲୱା ଦେଖିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ୧୦ ବର୍ଷ ବୟସରେ ୧୯୫୨ରେ ମାଆ ଫିଲ୍ମରୁ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆକୁ ଏଣ୍ଟ୍ରି କରିଥିଲେ ପାରେଖ । ତାପରେ ଗୋଟେ ପରେ ଗୋଟେ ହିଟ୍ ମୁଭି, ମୁଭିରେ ତାଙ୍କର ଦମଦାର ଅଭିନୟ ଏବଂ ଡାନ୍ସର ତଡ଼କା ଫିଲ୍ମ ଲଭରଙ୍କୁ ବେଶ ପସନ୍ଦ ଆସିଥିଲା ।