ସ୍କୁଟିରେ ମଦ ଚାଲାଣ ବେଳେ ଆଶା ଓ ଅଙ୍ଗନବାଡି ଦିଦି ଗିରଫ

ଖୋର୍ଦ୍ଧା: ଜଣେ ଆଶାଦିଦି, ଆଉ ଜଣେ ଅଙ୍ଗନବାଡି ଦିଦି । ଜଣଙ୍କ କାମ ସ୍ବାସ୍ଥ୍ୟସେବାରେ ସହଯୋଗ କରିବା ଓ ଅନ୍ୟ ଜଣଙ୍କ କାମ ଅଞ୍ଚଳର କୁନି କୁନି ଶିଶୁଙ୍କ ଶିକ୍ଷାର ମୂଳଦୁଆ ପକାଇବା । ହେଲେ ଏଠି ଆମେ ଯେଉଁ ଆଶା ଓ ଅଙ୍ଗନବାଡି ଦିଦିଙ୍କ କଥା କହିବାକୁ ଯାଉଛୁ, ତାଙ୍କ କାରନାମା ଶୁଣିଲେ ଆପଣ କହିବେ ‘ହେ ପ୍ରଭୁ…’ । ହଁ ଆଜ୍ଞା, ଏଠି ଆଶାଦିଦି ଓ ଅଙ୍ଗନବାଡି ଦିଦି ଏକାଠି ହୋଇ ଚୋରା ମଦ କାରବାର କରୁଛନ୍ତି । ଏମିତି ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ସ୍କୁଟି ଜବତ କରିଛି । ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ।

କୋଷରଣାରୁ ବାଣପୁର ଆସୁଥିବାବେଳେ ସେମାନଙ୍କୁ ଦେଶୀ ମଦ ସହ ଧରିଥିଲା ବାଣପୁର ପୋଲିସ । ପାଟ୍ରୋଲିଂରେ ମୁତୟନ ଥିବା ପୋଲିସର ସେମାନଙ୍କ ଉପରେ ନଜର ପଡିଥିଲା । ସନ୍ଦେହରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚବେଳେ ସେମାନଙ୍କ ଗାଡ଼ିରୁ ୩ ବସ୍ତାରେ ୧୫୦ ପ୍ୟାକେଟ ଭର୍ତ୍ତି ଦେଶୀ ମହୁଲି ମଦ ଜବତ ହୋଇଥିଲା । କୋଷରଡ଼ାରୁ ବାଣପୁର ବିକ୍ରି ପାଇଁ ଏହି ମଦ ସେମାନେ ନେଉଥିଲେ । ପରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ବରବରା ପଞ୍ଚାୟତ କୋଶଡା ଗାଁର ଅଙ୍ଗନବାଡି ଦିଦି ଓ ଆଶାକର୍ମୀ ।