ତିନି ଠାକୁରଙ୍କ ପାଟ ସେବାୟତଙ୍କ ପରଲୋକ

ପୁରୀ: ଆଉ ନାହାନ୍ତି ତିନି ଠାକୁରଙ୍କ ପାଟ ସେବାୟତ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପାଟବସ୍ତ୍ର ପାଇଁ ଦୀର୍ଘ ବର୍ଷ ଧରି ସୂତା ବୁଣିଥିବା ଖୋର୍ଦ୍ଧା ରାଉତପଡ଼ା ଗ୍ରାମର ଆସେଲି ଦାସ ଆଉ ନାହାନ୍ତି । ୯୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ବସ୍ତ୍ର ପ୍ରସ୍ତୁତି ସେବାରେ ନିଜକୁ ସମର୍ପିତ କରିଥିଲେ । ପ୍ରତିବର୍ଷ ରଥଯାତ୍ରା ଆସିଲେ ନିଷ୍ଠା ସହକାରେ ଶ୍ରୀପଞ୍ଚମୀ ଦିନଠାରୁ ସୂତା ବୁଣା ଆରମ୍ଭ କରନ୍ତି । ନିଜ ହାତରେ ସୂତା ବୁଣି ବୁଣାକାରଙ୍କୁ ଦିଅନ୍ତି । ସେଇ ସୂତାରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତ ହୋଇଥାଏ । ବୃଦ୍ଧା ବୁଣାକାର ଆସେଲି ଜଗନ୍ନାଥଙ୍କ ଛଡା ଆଉ କାହା ପାଇଁ ସୂତା ବୁଣି ନଥାନ୍ତି । ନବ କଳେବର ସମୟରେ ମଧ୍ୟ ଆସେଲିଙ୍କ ହାତରେ ବୁଣା ସୂତାରେ ପାଟବସ୍ତ୍ର ପ୍ରସ୍ତୁତ ହୋଇଥିଲା । ଆସେଲିଙ୍କ ପୁଅ ଗୋପୀନାଥ ଦାସଙ୍କ ସମେତ ଆହୁରି ୨୪ ବୁଣାକାର ପରିବାର ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣି ଆସୁଛନ୍ତି । ତେବେ ସେ କେବଳ ଜଗନ୍ନାଥଙ୍କ ପାଇଁ ସୂତା ବୁଣିବେ ବୋଲି କିଛି ଦିନ ତଳେ ନନ୍ଦିଘୋଷ ଟିଭି ତରଫରୁ କରାଯାଇଥିବା ସାକ୍ଷାତକାରରେ କହିଥିଲେ ।