‘ଅସାନି’ ପ୍ରଭାବରେ ରାଜ୍ୟର ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

1 min read

ଭୁବନେଶ୍ୱର: ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି । ମଛଲିପଟ୍ଟନମ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ। ପ୍ରଭାବରେ ମାଲକାନଗିରି, କୋରପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ରୁ ୨ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି ।

ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।

ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ। ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ। ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟକୁ ପବନର ମଧ୍ୟ ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପୁରୀ, ଧାମରା ଓ ପାରାଦୀପକୁ ୨ ନମ୍ବର ବିପଦସଙ୍କେତ ଜାରି ହୋଇଛି ।